ଅବକାରୀ ବିଭାଗର ଚଢ଼ାଉ ବେଆଇନ ମଦ ଜବତ
#ଆଠଗଡ଼(ଏନ୍.ଏମ୍.): ଆଠଗଡ ଅଞ୍ଚଳରେ ବେଆଇନ ନିଶାକାରବାର ବେଧଡକରେ ଚାଲିଛି । ଫଳରେ ସ୍ଥାନୀୟ ଥାନା ଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ବେଆଇନ ମଦକାରବାରକୁ ରୋକିବା ନିମନ୍ତେ ବିଭାଗୀୟ ଅଧିକାରୀ ଯେତେ ଯାହା କଲେବି ଚୋରା ନିଶାବେପାରୀଙ୍କୁ ଲଗାମ ଲଗାଇବା ଅଧିକାରୀଙ୍କ ପାଇଁ ସତେ ଯେମିତି ଚାଲେଞ୍ଜ ହୋଇ ପଡ଼ିଛି । ତେବେ ଅବକାରୀ ବିଭାଗ ମଧ୍ୟ ଏହି ଚାଲେଞ୍ଜକୁ ଗ୍ରହଣ କରି ଚଢ଼ାଉ ଅବ୍ୟାହତି ରଖିଛି । ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ତରଫରୁ ସ୍ଥାନୀୟ ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର – ଜାତମୁଣ୍ଡିଆ ମହାନଦୀ ସେତୁ ଉପରେ ଚଢାଉ କରି ୩୩ ଗୋଟି ଜାରକିନରେ ଥିବା ୧୪୦୦ ଲିଟର ବେଆଇନ ଦେଶୀ ମଦ ଜବତ କରିବାରେ ସଫଳ ହୋଇଛି । ଏକ ପିକପ୍ ଭ୍ୟାନରେ ବିପୁଳ ପରିମାଣର ବେଆଇନ ଦେଶୀମଦ ଆଠଗଡ଼ ଥାନା ନଡୁଆପଡା ଅଞ୍ଚଳରୁ ବେଆଇନ ଦେଶୀ ମଦ ବାଙ୍କୀ ଥାନା ଯାତମୁଣ୍ଡିଆ ଆଡ଼କୁ ନେଇ ଯାଉଥିବା ଅବକାରୀ ବିଭାଗ ପାଖରେ ସୂଚନା ମିଳିଥିଲା । ସୂଚନା ପାଇବା କ୍ଷଣି ଆଠଗଡ଼ ଅବକାରୀ ଅଧକାରୀମାନେ ପିଛା କରି ଓଡି ୦୫ ବିଇ ୯୮୮୫ ନମ୍ବର ଯୁକ୍ତ ମଦ ବୋଝେଇ ଗାଡ଼ିକୁ ଜବତ କରି ଚାଳକ ବିଶ୍ୱଜିତ୍ ବେହେରାକୁ ଗିରଫ କରିଛନ୍ତି । ତାକୁ ବାଙ୍କୀ ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି । ସେହିପରି ଖୁଣ୍ଟୁଣୀ ଥାନା ଛେନଖିଆ ନୁଆଗାଁ ଗ୍ରାମର ବିଜୟ କୁମାର ସେନାପତିଙ୍କ ଘରୁ ୨୦ଲିଟର ଓ ଗୁରୁଡିଝାଟିଆ ଥାନା କୁସପଙ୍ଗି ଗ୍ରାମର ବସନ୍ତ କୁମାର ପ୍ରଧାନଙ୍କ ଠାରୁ ୪୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇଛି । ସମସ୍ତ ନିଶା ବେପାରୀମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିବା ଜଣାପଡ଼ିଛି ।