ଅଧା ରହିଲା ମା’ ତାରିଣୀଙ୍କ ଦର୍ଶନ; ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ
#କେନ୍ଦୁଝର(ଏନ୍.ଏମ୍.): ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଯାଉଥିବାବେଳେ ଏହା ହେବ ଶେଷ ଯାତ୍ରା ଏକଥା କେହିବି ଭାବି ପାରିନଥିଲେ । ଭୋରୁ ଭୋରୁ ଏକ ଭ୍ୟାନରେ ଖୁସିରେ ମା’ଙ୍କ ଦର୍ଶନା ପାଇଁ ବାହାରିଥିଲେ ଦୁଇଟି ପରିବାର । ହେଲେ ସେମାନେ ଖୁସି ବେଶୀ ସମୟ ରହି ନଥିଲା । ଗୋଟିଏ ସେକେଣ୍ଡରେ ପାଣି ଫୋଟାକା ପରି ମିଳାଇ ଯାଇଥିଲା । ମା’ ତାରିଣୀ ମନ୍ଦିର ମାତ୍ର ୩ କିଲୋମିଟର ଥିବା ବେଳେ ଘଟିଥଲା ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ଧକ୍କା ଦେବାରୁ ୮ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଏନ୍.ଏମ୍. ୨୦ ବାଲିଯୋଡ଼ି ନିକଟରେ ଆଜି ଭୋରରୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା, ୪ଜଣ ପୁରୁଷ ଓ ଗୋଟିଏ ଛୋଟ ଛୁଆ ଥିବା ଜଣାଯାଇଛି । ଏକ ଭ୍ୟାନରେ ଦିଗପହଣ୍ଡିରୁ ଦୁଇ ପରିବାରରର ଡ୍ରାଇଭର ସମେତ ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ । ଆଜି ଭୋର ପ୍ରାୟ ୫ଟା ସମୟରେ ଏନଏଚ ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନଟି ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ୪ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୨୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି । ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ପରେ ପୋଡ଼ାମାରୀ ଗାଁରେ ଶୋକର ଛାୟା ଖେଳିଯାଇଛି । କାନ୍ଦ ବୋବାଳିରେ ଫାଟିପଡୁଛି ଘର ଅଗଣା । ସଂପର୍କୀୟ ଓ ପ୍ରିୟଜନଙ୍କୁ ହରାଇ ସମସ୍ତେ ମ୍ରିୟମାଣ ହୋଇପଡିଛନ୍ତି । ଦୁର୍ଘଟଣାରେ ଭ୍ୟାନଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । କୁହୁଡି ଯୋଗୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । ୩ ମୃତକ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଘଟଗାଁ ଥାନାରେ ଭ୍ୟାନ ଡ୍ରାଇଭର ଆତ୍ମସର୍ମପଣ କରିଛି । ଘଟଗାଁ ନିକଟରେ ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆହତ ମାନଙ୍କୁ ମଗଣାରେ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।