ଅଣସର ଘରେ ଶ୍ରୀଜୀଉ : ଚିକିତ୍ସା ପାଇଁ ଦଶ ମୂଳାରିଷ୍ଟ ପ୍ରସ୍ତୁତି ଓ ଚକା ବିଜେ ନୀତି
ପୁରୀ(ଏନ୍.ଏମ୍.): ଅଣସର ଘରେ ପ୍ରଭୁ ଜଗନ୍ନାଥ । ସ୍ନାନପୂର୍ଣ୍ଣମୀ ପର ଠାରୁ ଅସୁସ୍ଥ ଶ୍ରୀ ଜୀଉଙ୍କୁ ଚିକିତ୍ସା ନିମନ୍ତେ ଅଣସରରେ ଘରେ ରଖାଯାଇ ଗୁପ୍ତସେବା ଚାଲିଛି । ଶ୍ରୀଜୀଉଙ୍କୁ ଫୁଲୁରି ତେଲ ଲାଗି ହେବା ପରେ ଆଜି ଦଶମୀ ତିଥିରେ ଦଶମୂଳ ମୋଦକ(ଦଶ ମୂଳାରିଷ୍ଟ) ଲାଗି ହୋଇ ସାରିବା ପରେ ମହାପ୍ରଭୁ ଚକା ବିଜେ ହେବାର ପରମ୍ପରା ରହିଛି । ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ । ଏହା ଏକାଦଶୀ ଦିନ ଶ୍ରୀଜୀଉଙ୍କ ପାଖେ ସମର୍ପଣ ହୋଇଥାଏ । ଶ୍ରୀମନ୍ଦିରର ରାଜବୈଦ୍ୟ ସେବକ ମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି । ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ – ଶାଳପନ୍ନି, ଗମ୍ଭାରୀ, ଫଣଫଣା, କୃଷ୍ଣ ପନ୍ନି, ଅଗବଥୁ, ବେଲ, ଅଙ୍କରାନ୍ତି, ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖା ଯାଇ ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ । ଏହି ଗୁଣ୍ଡ କୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ । ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ । ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥାଏ । ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ । ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସର କାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ, ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିବେ । ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି । ଏହାପରେ ଶ୍ରୀ ଜୀଉ ସୁସ୍ଥ ହୋଇ ଅଗଣିତ ଶ୍ରଦ୍ଧାଳୁଙ୍କୁ ନେତ୍ରୋତ୍ସବରେ ନବଯୌବନ ଦର୍ଶନଦେବେ ।