ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ
#କଟକ(ଏନ୍.ଏମ୍.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଆସନ୍ତା ଅକ୍ଟୋବର ୪ ତାରିଖରୁ ପ୍ରଦାନ କରାଯିବ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରମାଣପତ୍ର ଦିଆଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ସ୍କୁଲର ମୁଖ୍ୟମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପ୍ରମାଣପତ୍ର ନେଇ ପାରିବେ । ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଦ୍ୱାରା ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯିବ । ଏହାର ସୁପରିଚାଳନା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଅସୁବିଧା ସୃଷ୍ଟି ହୁଏ ତେବେ ଡିଇଓମାନେ ନିଜ ନିଜସ୍ତରରେ ସମାଧାନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ମାଟ୍ରିକ ପ୍ରମାଣପତ୍ରରେ ଯଦି କୌଣସି ତ୍ରୁଟିଥାଏ ତାହା ହେଲେ ବୋର୍ଡ ପକ୍ଷରୁ ସଂଶୋଧନ କରାଯିବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର କଟକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଫି’ ଦାଖଲ କରି ସଂଶୋଧନ କରିପାରିବେ । ଅକ୍ଟୋବର ୩୦ତାରିଖ ପର୍ଯ୍ୟନ୍ତ ସଂଶୋଧନ ଲାଗି ଆବେଦନ କରିପାରିବେ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଅର୍ଥାତ ୩୦ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଥିବା ବୋର୍ଡ଼ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି ।
ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ଖୋଲିଥିବା କେନ୍ଦ୍ର ଗୁଡିକ ମଧ୍ୟରେ ଜଗତସିଂହପୁରରେ ଏସ.କେ. ଏକାଡେମୀ, କେନ୍ଦ୍ରାପଡାରେ ରତ୍ନାକର ହାଇସ୍କୁଲ, ଦୁହୁରିଆ, ଯାଜପୁରରେ ଜିଲ୍ଲା ସ୍କୁଲ, ଅନୁଗୁଳରେ ଡିଇଓ କାର୍ଯ୍ୟାଳୟ, ଢେଙ୍କାନାଳରେ ବି.ବି. ହାଇସ୍କୁଲ, ପୁରୀରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାରେ ଭୁବନେଶ୍ୱର ଜୋନାଲ କାର୍ଯ୍ୟାଳୟ, ନୂଆପଡାରେ ଜାତୀୟ ଉଚ୍ଚ ବିଦ୍ୟାଳୟ, ବରଗଡରେ ଜର୍ଜ ହାଇସ୍କୁଲ, ସମ୍ବଲପୁରରେ ବୋର୍ଡର ଜୋନ କାର୍ଯ୍ୟାଳୟ, ଦେବଗଡରେ ଆରବିଡି ହାଇସ୍କୁଲ, ଝାରସୁଗୁଡାରେ ଡିଇଓଙ୍କ କାର୍ଯ୍ୟାଳୟ, ସୁବର୍ଣ୍ଣପୁରରେ ସରକାରୀ ବାଳିକା ହାଇସ୍କୁଲ, ବଲାଙ୍ଗୀରରେ ପି.ଆର ହାଇସ୍କୁଲ, ସୁନ୍ଦରଗଡରେ ବି.ଏସ ହାଇସ୍କୁଲ, କୋରାପୁଟରେ ବୋର୍ଡର ଜୟପୁରସ୍ଥିତ ଜୋନାଲ ଅଫିସ, ନୟାଗଡରେ ବ୍ରଜେନ୍ଦ୍ର ହାଇସ୍କୁଲ, ବାଲେଶ୍ୱରରେ ବୋର୍ଡର ଜୋନାଲ ଅଫିସ, ଭଦ୍ରକରେ ଜିଲ୍ଲା ସ୍କୁଲ, କେନ୍ଦୁଝରରେ ଏନ.ଏସ. ପୁଲିସ ହାଇସ୍କୁଲ, ମୟୂରଭଞ୍ଜରେ ଏମକେସି ହାଇସ୍କୁଲ, ଗଜପତିରେ ଡିଇଓଙ୍କ କାର୍ଯ୍ୟାଳୟ, ଗଞ୍ଜାମରେ ବୋର୍ଡର ଜେନ ଅଫିସ, ବୌଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, କନ୍ଧମାଳରେ ଡିଇଓ ଅଫିସ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାରେ ଡିଇଓଙ୍କ କାର୍ଯ୍ୟାଳୟରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ସମସ୍ତ କେନ୍ଦ୍ରଗୁଡିକରେ ବୋର୍ଡର ଜୋନାଲ ଅଫିସର ସଦସ୍ୟଙ୍କୁ ନିୟୋଜିତ କରାଯିବ । ଏଥିଲାଗି ବୋର୍ଡ ସମ୍ପାଦକ ଶ୍ରୀ ତରାଇ ସମସ୍ତ ଜୋନାଲ କାର୍ଯ୍ୟାଳୟର ଉପ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ କେନ୍ଦ୍ରଗୁଡିକ ମଧ୍ୟରେ କଟକ ଜିଲ୍ଲାରେ ସମସ୍ତ ସ୍କୁଲଗୁଡିକ ଲାଗି ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପ୍ରମାଣପତ୍ର ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।