ଆରପାରିରେ ସାମ୍ୟବାଦୀ ଚିନ୍ତକ ତଥା ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ର

ଆରପାରିରେ ସାମ୍ୟବାଦୀ ଚିନ୍ତକ ତଥା ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ର


କଟକ(ଏନ୍‌.ଏମ୍‌.): ସାମ୍ୟବାଦୀ ଚିନ୍ତକ, ସମାଜ ସଂସ୍କାରକ ତଥା କଟକର ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ରଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ବାମପନ୍ଥୀ ନେତାମାନେ ସ୍ଥାନୀୟ ସିଦ୍ଧେଶ୍ୱର ସାହିସ୍ଥିତ ଭଡ଼ାଘରେ ଶେଷ ଦର୍ଶନ କରିଥିଲେ । ତାଙ୍କର ପରଲୋକ ପରେ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ସ୍ୱର୍ଗତ ମିଶ୍ର ଜଣେ ବାମପନ୍ଥୀ ଚିନ୍ତାଧାରାର ହୋଇଥିବାବେଳେ ସମାଜରେ ଦୁର୍ନୀତି ଦୂର କରିବା ପାଇଁ ଜୀବନବ୍ୟାପୀ ସଂଗ୍ରାମ ଜାରି ରଖିଥିଲେ । ସେ ୧୯୫୧ ମସିହା ଅକ୍ଟୋବର ମାସ ୧୫ତାରିଖ କାଳୀପୂଜା ତିଥିରେ ଜଗତସିଂହପୁର ଜିଲ୍ଲା(ବର୍ତ୍ତମାନର) ରଘୁନାଥ ପୁର ଗ୍ରାମରେ ଜନ୍ମ ହୋଇଥିଲେ । ବିଭିନ୍ନ ପତ୍ରପତ୍ରିକାରେ ଦୁର୍ନୀତିର ମୂଳୋତ୍ପାଟନ କରିବା ନିମନ୍ତେ ସେ ଲେଖନୀ ଚାଳନା କରୁଥିଲେ । କେବଳ ସେତିକି ନୁହେଁ ସେ ଅନେକ ଜନସ୍ୱାର୍ଥ ମାମଲା ଦାୟର କରି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରଖିଥିଲେ । ବିଶେଷ କରି ପୁଲିସ ପୋଷାକ ଦୁର୍ନୀତି ବିଷୟରେ ପ୍ରଥମେ ଖବର ପ୍ରକାଶ କରି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରାଇଥିଲେ; ତାଙ୍କ ପ୍ରକାଶିତ ଖବରକୁ ନେଇ ତତ୍‌କାଳୀନ ବିଧାନସଭାରେ ମଧ୍ୟ ହଟ୍ଟଗୋଳ ସୃଷ୍ଟି ହୋଇ ଏହି ଦୁର୍ନୀତିର ତଦନ୍ତ କରାଯାଇଥିଲା । ସ୍ୱର୍ଗତ ମିଶ୍ର ଛାତ୍ର ସମୟରୁ ମଧ୍ୟ ଜଣେ ସଂଗ୍ରାମୀ ଛାତ୍ର ନେତା ଭାବେ ନିଜର ପରିଚୟ ସଷ୍ଟି କରିଥିଲେ । ରେଭେନ୍ସା କଲେଜରେ ପାଠ ପଢ଼ିବା ସମୟରେ ମଧ୍ୟ ସମାଜରେ ଦୁର୍ନୀତି ବା ବେଆଇନ କାର୍ଯ୍ୟ ଦେଖିଲେ ତାହାର ବିରୋଧ କରିବା ପାଇଁ ଆଗେଇ ଆସୁଥିଲେ । ବିଭିନ୍ନ ଛାତ୍ର ଆନ୍ଦୋଳନରେ ସାମିଲ ହେଉଥିଲେ । ଶିକ୍ଷା ପରେ ଚାକିରୀକୁ ଭୃକ୍ଷେପ ନକରି ସାମ୍ବାଦିକତା ଭଳି ପବିତ୍ର ବୃତ୍ତିକୁ ଆଦରି ନେଇଥିଲେ । ପରବର୍ତ୍ତୀ ସମୟରେ ସେ ସିପିଆଇର ସଦସ୍ୟତା ଗ୍ରହଣ କରି ବହୁ ଜନଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ସେ ନିୟମିତ ଜନଜାଗରଣ ସୃଷ୍ଟିକାରୀ ଲେଖା ଲେଖୁଥିବାବେଳେ ସମାଧାନ, ଖର୍ପର ଭଳି ସାପ୍ତାହିକ ପତ୍ରିକାରେ ସମ୍ପାଦକ ଓ ପ୍ରକାଶକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ମୃତ୍ୟୁରେ କଟକ ସହର ତଥା କଟକ ଜିଲ୍ଲା ସିପିଆଇ ଓ ନଗର କମିଟିରେ ଶୋକ ପ୍ରକାଶ କରାଯାଇଛି । ଅମରେନ୍ଦୁ ମହାନ୍ତି, ବିନୋଦ ବେହେରା, ଉଦୟକେଶରୀ ବର୍ମା, କିଶୋର ଜେନା, ରାମଚନ୍ଦ୍ର ବେହେରା, ସାମ୍ବାଦିକ ବସନ୍ତ ରଥ, ଆଲୋକ ନାୟକ, ପ୍ରଦୀପ ସାହୁ, ସୁରେଶ ଦାସ, ଡକ୍ଟର ଅମରେଶ ଚନ୍ଦ୍ର ସାହୁ, ଅକ୍ଷୟ ଦାସ, ପଦ୍ମଲୋଚନ ମିଶ୍ର, ସୁଶାନ୍ତ କୁମାର ଜେନା, ତପନ କୁମାର ସାହୁ, ଅଭିଜିତ ଚନ୍ଦ୍ର, ପ୍ରଶାନ୍ତ ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *