୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଜନସାଧାରଣଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ସ୍କୁଲ ରୂପାନ୍ତର -ମୁଖ୍ୟମନ୍ତ୍ରୀ

News by Dillip Kumar Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍କୁଲ ରୂପାନ୍ତରର ପ୍ରତ୍ୟେକସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି । ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଭଦ୍ରକ ଜିଲ୍ଲାର ୧୨୪ଟି ହାଇସ୍କୁଲ, କନ୍ଧମାଳ ଜିଲ୍ଲାର ୭୭ଟି, ଢେଙ୍କାନାଳ ଜିଲ୍ଲାର ୩୫ଟି, ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୪୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏହାଦ୍ୱାରା ତୃତୀୟ ପର୍ଯ୍ୟାୟରେ ଚତୁର୍ଥ ଦିନରେ ସମୁଦାୟ ୧୪୯୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା । ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ୱଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ, ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ । ସମୟକୁ ଗୁରୁତ୍ୱ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ କାମରେ ପ୍ରତିସ୍ତରରେ ସ୍ୱଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି । ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସମ୍ପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ୱଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ୱାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ । ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି । ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାଏ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଗଜପତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସୁବର୍ଣ୍ଣପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ, ସ୍କୁଲ ରୂପାନ୍ତର ଆଗାମୀ ପୀଢିର ଭବିଷ୍ୟତକୁ ଉଜ୍ଜଳ କରିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ । ଓଡିଶାକୁ ସବୁ କ୍ଷେତ୍ରରେ ଆଜି ନମ୍ବର ୱାନ କରିବା ସହିତ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବା ପାଇଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ସ୍କୁଲ ରୂପାନ୍ତରରେ ଯେଉଁ ସବୁ ସମ୍ପତ୍ତି ବା ଆସେଟ୍ ସୃଷ୍ଟି ହୋଇଛି, ସେ ସବୁ ସାରା ଓଡିଶାବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ସ୍କୁଲର ଆସେଟ୍ ଗୁଡିକର ରକ୍ଷଣାବେକ୍ଷେଣ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରନ୍ତି । ତେଣୁ ଆପଣମାନେ ନିଜର ସମ୍ପତ୍ତି ଭଳି ସ୍କୁଲର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଭରସା ରହିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥୀ ଏସ. ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ୱତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଉଚ୍ଚଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି