ନାବାଳକ ଗାଡ଼ି ଚଳାଇବା ଉପରେ ଲାଗିଲା ଅଙ୍କୁଶ
ସ୍କୁଲ ଗେଟ୍ ପାଖରେ ହେବ ଚଢ଼ାଉ, ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
#କଟକ(ଏନ୍.ଏମ୍.): ଏଣିକି ନାବାଳକ ପିଲାମାନଙ୍କୁ ଗାଡ଼ି ଚଳାଇବା ଉପରେ ଅଙ୍କୁଶ ଲଗାଇବ ପରିବହନ ବିଭାଗ । ନାବାଳକମାନେ ଗାଡ଼ି ଚଳାଇବାବେଳେ ବିଭିନ୍ନ ନିୟମ ଉଲ୍ଲଙ୍ଘନ କରୁଥିବାଯୋଗୁଁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ ନାବାଳକ ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଳାଇବା ଉପରେ ରୋକ୍ ଲାଗିବ । ତେବେ ଏହାକୁ ଧରିବା ପାଇଁ ସ୍କୁଲ ଗେଟ୍ ପାଖରେ ଚଢ଼ାଉ ହେବ ବୋଲି ପରିବହନ ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ତେଣୁ ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକମାନେ ସାବଧାନ ରହିବାକୁ କୁହାଯାଇଛି । ନାବାଳକ ସ୍କୁଲ ପିଲା ବାଇକ୍ କିମ୍ବା ଅନ୍ୟ ଗାଡ଼ି ଚଳାଇ ପାରିବେନି । ଯଦି ସେମାନେ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିବେ, ତେବେ ଗାଡ଼ିର ମାଲିକକୁ ଧରି କୋର୍ଟ ଚାଲାଣ କରାଯିବ । ଏଥିପାଇଁ ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆସନ୍ତାକାଲି ଠାରୁ ଏପ୍ରିଲ ପ୍ରଥମ ସପ୍ତାହ ଯାଏ ସ୍ପେସାଲ ଡ୍ରାଇଭ ହେବ । ଟ୍ରାଫିକ୍ ପୋଷ୍ଟ ପାଖରେ ଧରପଗଡ଼ କଲେ ଟ୍ରାଫିକ୍ ଜାମ୍ ହେବା ଆଶଙ୍କା ଥିବାରୁ ସ୍କୁଲ ନିକଟରେ ଚଢ଼ଉ କରାଯିବ । ପୁଲିସ ସହ ମିଶି ପରିବହନ ଅଧିକାରୀ ଏହି ଚଢ଼ାଉ କରିବେ । ଯେଉଁ ୧୮ ବର୍ଷରୁ କମ୍ ସ୍କୁଲ ପିଲା ବିନା ଲାଇସେନସରେ ଗାଡ଼ି ଚଳାଉଥିବା ଧରାପଡ଼ିବେ ସମ୍ପୃକ୍ତ ଗାଡ଼ିର ମାଲିକଙ୍କୁ ୨୫ ହଜାର ଟଙ୍କା ଜୋରିମାନା କରାଯିବା ସହ ଗାଡିକୁ ଜବତ କରାଯିବ । ପରେ ଗାଡ଼ିର ପଞ୍ଜିକରଣ ବାତିଲ କରାଯିବ ଓ ଗାଡି ମାଲିକଙ୍କ ବିରୋଧରେ ମାମଲା କରାଯିବ । ଏହି ମାମଲାରେ ଆଇନ ଅନୁଯାୟୀ ଗାଡ଼ି ମାଲିକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜାରିମାନା ବ୍ୟବସ୍ଥା ଅଛି ବୋଲି ଶ୍ରୀ ସେଠୀ କହିଛନ୍ତି ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବାକୁ ଅଭିଯାନ ଚାଲିଥିଲା । ଯେଉଁଥିଲେ ୭୬୭ ଜଣ ଧରା ପଡ଼ିଥିଲେ । ଏହି ଘଟଣାରେ ଅନେକଙ୍କୁ ଗିରଫ କରାଯାଇଛି । ୨୦୨୧ ମସିହାରେ ସଡ଼କ ଦୁର୍ଘଟଣା ୫୦୮୧ ଜଣଙ୍କର ଓ ୨୦୨୨ରେ ୫୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୧ରେ ସଡ଼କ ଦୁର୍ଘଟଣାରେ ମୃତକମାନଙ୍କ ଭିତରେ ୧୮ ବର୍ଷରୁ କମ୍ ୧୩୨ ଜଣ ବାଳକ ଓ ୨୩ ଜଣ ବାଳିକା ଥିଲେ । ମଦ୍ୟପାନ ଜନିତ ଗାଡ଼ି ଚାଳନା ଓ ଦୃତଗତିରେ ଗାଡି ଚଳାଇବା ଦୁର୍ଘଟଣାଜନିତ ମୃତ୍ୟୁର ପ୍ରମୁଖ କାରଣ ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ୪-ଇ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି । ଏହି ୪-ଇ ହେଉଛି ଏଜୁକେସନ, ଏନଫୋର୍ସମେଣ୍ଟ, ଟ୍ରମାକେୟାର, ଇଞ୍ଜିନିୟରିଂ । ତେବେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି । ପ୍ରାଥମିକ ପଦକ୍ଷେପ ଭାବେ ମଦ ଚଳାଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଧରିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ସ୍କୁଲ ଓ କଲେଜ ଗାଡି ଚଳାଇ ଯାଇଥିବା ନାବାଳକ ବିଦ୍ୟାର୍ଥୀଙ୍କ ଉପରେ ରୋକ ଲଗାଇବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ସେଠୀ କହିଛନ୍ତି ।