ନକଲି ଔଷଧ ବ୍ୟବସାୟୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି କରୋନା ମହାମାରୀ ସମୟରେ ଲୋକେ ଜୀବନ ମରଣ ସମସ୍ୟା ମଧ୍ୟରେ ଗତିକରୁଥିବାବେଳେ ଔଷଧ ଏକମାତ୍ର ସାହା ଭରଷା ପାଲଟି ଯାଇଛି । ତେଣୁ ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ । ନକଲି ଔଷଧ ବ୍ୟବସାୟରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନକଲି ଔଷଧ ବେପାରୀଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ନକଲି ଔଷଧ କାରବାର ନେଇ ଅଭିଯୋଗ ପାଇବା କ୍ଷଣି ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଅଭିଯୋଗ ପାଇଲା ପରେ କଟକର ଏକ ନିର୍ଦ୍ଦିଷ୍ଟ ଦୋକାନ ଉପରେ ଚଢ଼ଉ କରାଯାଇ ୧୭୦ଟି ପେଟି ଫାବିପିରାଭିର୍ ଜବତ କରାଯାଇଥିଲା । ସେଥିରେ ୨୭ ପେଟି ଅନ୍ୟ ଔଷଧ ରହିଛି । ଏଗୁଡିକ ଭୁବନେଶ୍ୱର ସମେତ କଲିକତା ସେଣ୍ଟ୍ରାଲ ଲାବ୍ରୋଟାରୀକୁ ପରୀକ୍ଷା ପାଇଁ ପଠା ଯାଇଛି । ବିଭିନ୍ନ ଜିଲ୍ଲାରେ ଔଷଧ ଦୋକାନ ଉପରେ ନଜର ରଖିବାକୁ କୁହାଯାଇଛି । ଯାଞ୍ଚ ପରେ ରିପୋର୍ଟ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।