ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ: ୧୧ ଜିଲ୍ଲାପାଳ ଓ ୩ ମହାନଗର ନିଗମ କମିଶନରଙ୍କ ବଦଳି

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ସରକାର ଆଜି ଜିଲ୍ଲାପାଳ ଓ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଏହି ବଦଳି ମଧ୍ୟରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଆଦି ୩ଟି ମହାନଗର ନିଗମର କମିଶନରଙ୍କୁ ବଦଳି କରାଯାଇଛି । ଏହାସହିତ ଖୋର୍ଦ୍ଧା, ଭଦ୍ରକ, ରାୟଗଡ଼ା ଆଦି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଓଏଏସ ଅଫିସର ଥିବାବେଳେ ସେଠାରେ ଆଇଏଏସ ଅଧିକାରୀଙ୍କ ଅବସ୍ଥାପିତ କରିଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ୨୦୧୦ ବ୍ୟାଚ୍ ଆଇଏଏସ୍ ତଥା ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଏଥି ସହିତ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡିଙ୍କୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ସେଠାରେ ଥିବା ବରିଷ୍ଠ ଓଏଏସ୍ ସଂଗ୍ରାମ କୁମାର ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକ୍ଟ ନିର୍ଦ୍ଦେଶକ ଥିବା ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି ହୋଇଛି । ଗଞ୍ଜାମ ଜିଲ୍ଲାପାଳ ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ କୁଲାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ କମିଶନର ପଦବୀକୁ ଯୁଗ୍ମ ସଚିବ ପାହ୍ୟା ସହ ସମାନ କରାଯାଇଛି । ସେହିପରି ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଆଇଏଏସ ମଧୁସ୍ମତା ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ, ଭାବେ ବଦଳି କରାଯାଇଛି । କଳାହାଣ୍ଡି ଜିଲ୍ଲାପାଳ ଡକ୍ଟର ଗାଭିଲ ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ନୂଆପଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ ଓ ରାୟଗଡ଼ାରେ ଥିବା ବରିଷ୍ଠ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସହ ଗୃହ ବିଭାଗ(ପ୍ରୋଟୋକଲ) ଦାୟିତ୍ୱ ମିଳିଛି । ପୁନଶ୍ଚ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ ଓ ସମ୍ବଲପୁରରେ ଥିବା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଭଦ୍ରକରେ ଥିବା ଓଏଏସ୍ ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି । ସେହିପରି ଗଞ୍ଜାମରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିଭଳି କଳାହାଣ୍ଡି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ, ମୟୂରଭଞ୍ଜ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପି. ଅନଭେଶା ରେଡ୍ଡୀଙ୍କୁ କଳାହାଣ୍ଡି ଜିଲ୍ଲାପାଳ, ବାଲେଶ୍ୱର ଉପଜିଲ୍ଲାପାଳ ପାଟିଲ ଆଶୀଷ ଈଶ୍ୱରଙ୍କୁ କନ୍ଧମାଳ ଜିଲ୍ଲାପାଳ, କେରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସଏଙ୍କୁ ନୂଆପଡ଼ା ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କୁ ଗଞ୍ଜାମ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସମ୍ବଲପୁର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର, ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଓ ନବରଙ୍ଗପୁର ଉପଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନବିଭାଗର ଅନୁସଚିବ ଭାବେ ବଦଳି କରାଯାଇଛି । ତେବେ ଖୁବ ଶିଘ୍ର ଏହି ଅଧିକାରୀମାନେ ନୂତନ ସ୍ଥାନରେ ଯୋଗଦେବେ ବୋଲି ଜଣାପଡ଼ିଛି ।