Photo From I&PR Odisha

‘ଆଡଭାଣ୍ଟେଜ୍ ଅନୁଗୋଳ’ କାର୍ଯ୍ୟକ୍ରମ
ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍ ତ୍ରିପାଠୀ
ଅଧିକରୁ ଅଧିକ ଯୁବବର୍ଗ ଆନୁଷଙ୍ଗିକ ଶିଳ୍ପ ସ୍ଥାପନର ସୁଯୋଗ ନେବାକୁ ଆହ୍ୱାନ

Photo From I&PR Odisha

ଭୁବନେଶ୍ୱର/ଅନୁଗୋଳ(ଏନ୍‌.ଏମ୍‌.): ଅନୁଗୋଳ ଜିଲ୍ଲାସ୍ତରୀୟ ପୁଞ୍ଜିନିବେଶ ପ୍ରୋତ୍ସାହନ କର୍ମଶାଳା(ଆଡ୍ ଭାଣ୍ଟେଜ୍‌-ଅନୁଗୋଳ)ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ)ର ପ୍ରତିଷ୍ଠା ସହ ବିଭିନ୍ନ କ୍ଷେତ୍ରରେ ଅର୍ଥର ଉପଯୁକ୍ତ ବିନିଯୋଗ ପୂର୍ବକ ଶିଳ୍ପର ନିରନ୍ତର ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ଯୋଗଦେଇ କହିଲେ ଯେ, ଅନୁଗୁଳରେ ବୃହତ ଇସ୍ପାତ ଓ ଆଲୁମିନିୟମ କମ୍ପାନୀମାନ ରହିଛି । ଯୁବକ ଯୁବତୀମାନେ ଏହାର ସୁଯୋଗ ନେବା ଆବଶ୍ୟକ । ଏଠାରେ ଆଗ୍ରହୀ ଶିଳ୍ପଦ୍ୟୋଗୀମାନେ, ବୃହତ ଶିଳ୍ପମାନଙ୍କ ଉପରେ ନିର୍ଭରଶୀଳ ଲୌହ-ଇସ୍ପାତ ଓ ଆଲୁମିନିୟମ ଆଦି କ୍ଷୁଦ୍ର ଶିଳ୍ପ ସଂସ୍ଥା (ଡାଉନ୍ ଷ୍ଟ୍ରିମ୍ ଓ ଆନ୍ସିଲିଆରି ଇଣ୍ଡଷ୍ଟ୍ରିଜ୍‌) ସ୍ଥାପନ କରି ଶିଳ୍ପଦ୍ୟୋଗ ପ୍ରତିଷ୍ଠା କରିପାରିବେ, ଯାହାକି ସେମାନଙ୍କୁ ନିଯୁକ୍ତିଠାରୁ ଅଧିକ ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ସାମାଜିକ କ୍ଷେତ୍ର ଓ ନବୀକରଣ ଯୋଗ୍ୟ ଅଭିନବ ଷ୍ଟାର୍ଟ ଅପ୍ କ୍ଷେତ୍ର ଗୁଡିକରେ ରହିଥିବା ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସବୁଜ ଶିଳ୍ପ ହବ୍ ଓ ସବୁଜ କୋଠା ଷ୍ଟାର୍ଟ ଅପ୍ ପ୍ରସ୍ତାବ ଅଂଶଗ୍ରହଣ- କାରୀମାନଙ୍କୁ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର, ମଧ୍ୟମ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଇପିକଲ ଓ ଇଡକଲର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ମିଳିତ ଜାତିସଂଘ, ପରିବେଶ କାର୍ଯ୍ୟକ୍ରମର ମୁଖ୍ୟ ଅତୁଳ ବାଗାଇ, ଶିଳ୍ପ ନିର୍ଦ୍ଦେଶକ ସଦ୍ଦିକ ଆଲାମ୍‌, ଷ୍ଟାର୍ଟ ଅପ୍ ଓଡିଶାର ବରିଷ୍ଠ ପ୍ରତିନିଧି, ଏମଏସ୍ ଟି.ସି .ଓଡିଶା (ଏମଏମ୍‌ଆର୍ ପି. ଟି.) ଏବଂ ଉନ୍ନୟନ ଅଲ୍ଟରନେଟିଭ୍ ଗ୍ରୁପ ମାନେ ଯୋଗଦେଇ ବେସରକାରୀ କ୍ଷେତ୍ରରେ ପ୍ରତିନିଧିତ୍ୱ କରି ଏଠାରେ ଗୋଟିଏ ପ୍ଲାଟଫର୍ମରେ ପାରସ୍ପରିକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଏମଏସଏମଇ ଓ ଷ୍ଟାର୍ଟଅପ୍ କ୍ଷେତ୍ରରୁ ୨୦୦ରୁ ଊର୍ଦ୍ଧ୍ୱ ଅଂଶ ଗ୍ରହଣକାରୀ ଯୋଗ ଦେଇଥିଲେ । ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ୍ ଭାବେ ଆଲୋକପାତ କରିଥିଲେ । ଜିଲ୍ଲାରେ ଏମଏସ୍‌ଏମଇ ଓ ଷ୍ଟାର୍ଟ ଅପ୍ ସ୍ଥାପନରେ ତାଙ୍କର ସମସ୍ତ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ଶିଳ୍ପ ନିର୍ଦ୍ଦେଶକ, ଏ କ୍ଷେତ୍ରରେ ଏମଏସଏମଇ ବିଭାଗ ତରଫରୁ ସରକାରଙ୍କ ତରଫରୁ ବହୁମୁଖୀ ପ୍ରୋତ୍ସାହନ ପ୍ରଦାନ କରାଯାଉଥିବା ପ୍ରକାଶ କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚୋପ୍ରା ନିରନ୍ତର ବିକାଶରେ ଏମଏସଏମଇ କ୍ଷେତ୍ରର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଷ୍ଟାର୍ଟ ଅପ୍ ଓଡିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ, ରାଜ୍ୟ ସରକାରଙ୍କର ଷ୍ଟାର୍ଟ ଅପ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଅତ୍ୟନ୍ତ ଉତ୍ସାହଜନକ ବୋଲି ପ୍ରକାଶ କରିଥିଲେ । ଆଇ.ଆଇ.ଟି କାନପୁର, ଜିଲ୍ଲାପ୍ରଶାସନ ଅନୁଗୋଳ ଏବଂ ଡେଭେଲପମେଣ୍ଟ ଅଲଟରନେଟିଭ୍ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ୨ ଗୋଟି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଅପରାହ୍ଣରେ ବିଭିନ୍ନ କ୍ଷେତ୍ରରେ ୯ଟି ଷ୍ଟାର୍ଟ ଅପ୍‌, ୧୧ ଟି ଏମଏସ୍‌ଏମଇରେ ବ୍ୟବସାୟ ସମ୍ପର୍କିତ ଧାରଣା ଉପସ୍ଥାପନ କରାଯାଇଥିଲା । କେତେକ ଷ୍ଟାର୍ଟଅପ୍ ଏହି କର୍ମଶାଳାରେ ସେମାନଙ୍କର ପ୍ରସ୍ତାବିତ ଶିଳ୍ପ, ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପନ କରିଥିଲେ । ବୈଠକରେ ବହୁ ସଂଖ୍ୟାରେ ପ୍ୟାନେଲ ସଦସ୍ୟ, ବିଭିନ୍ନ ଶିଳ୍ପଉଦ୍ୟୋଗରୁ ଅଂଶ ଗ୍ରହଣକାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *