ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: ଜାଗା ଚିହ୍ନଟରେ ଅଟକି ଯାଇଛି ଫାଇଲ
କ୍ଲବ ଓ କମ୍ୟୁନିଟି ସେଣ୍ଟରରେ ଚାଲିଛି ଶିଶୁଙ୍କ ବୌଦ୍ଧିକ ବୃଦ୍ଧି!
ଜଗତପୁର(ଏନ୍.ଏମ୍.): ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟି ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ ମଧ୍ୟ ଏସବୁ ଯୋଜନା କେବଳ ଫାଇଲର ନାଲିଫିତା ତଳେ ଚାପି ହୋଇ ରହିଯାଉଛି । ମାତୃ ଓ ଶିଶୁ ହାର ହ୍ରାସ କରିବା, ଶିଶୁମାନଙ୍କ ଶାରିରୀକ ଓ ବୌଦ୍ଧିକ ବିକାଶ କରିବା ନିମନ୍ତେ ମିଶନ ଶକ୍ତି ଏବଂ ମହିଳା ଶିଶୁ ବିକାଶ ବିଭାଗ ଜରିଆରେ ଏହି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ପରିଚାଳିତ ହେଉଥିବାବେଳେ ଏଥିପାଇଁ ଆଇସିଡିଏସ ଯୋଜନାରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ତେବେ ଏହାଦ୍ୱାରା ସିଧାଳଖ ଭାବେ ସମସ୍ତ ମା’ ଓ ଶିଶୁ ଉପକୃତ ହୋଇ ପାରିବେ ବୋଲି ସରକାର ମହତ ଉଦ୍ଦେଶ୍ୟ ରଖିଛନ୍ତି । ହେଲେ କଟକ ଜିଲ୍ଲାରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଅପାରଗତା ଯୋଗୁଁ ଅଙ୍ଗନୱାଡ଼ି କେନ୍ଦ୍ର ଠିକ୍ ଢଙ୍ଗରେ ଚାଲି ପାରୁନଥିବା ଅଭିଯୋଗ ହୋଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ଚାଲିଥିବା ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ବାହାରେ ଭଡ଼ାଘରେ କିମ୍ବା ସ୍ଥାନୀୟ କ୍ଲବ ପରିସରରେ ଏହି ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳିତ ହେଉଛି । ଯାହାଦ୍ୱାରା ଏହାର କୁପ୍ରଭାବ କୋମଳମତି ଶିଶୁଙ୍କ ଉପରେ ପଡ଼ିବା ଭଳି ସଂଗୀନ ଅଭିଯୋଗ ଉଠିଛି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ନିମପୁର ଅଞ୍ଚଳର ବହୁ ସ୍ଥାନରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା କାରଣରୁ ଶିଶୁମାନେ କେଉଁଠି କ୍ଲବ ଘରେ ତ କେଉଁଠି ଗଛ ମୂଳେ ଖୋଲା ମେଲାରେ ପାଠ ପଢୁଛନ୍ତି । କିନ୍ତୁ ଏହି ଅଞ୍ଚଳରେ ଗୃହ ନିର୍ମାଣ ତ ଦୁରର କଥା ଅଙ୍ଗନୱାଡି ପାଇଁ ଗୋଟିଏ ଜାଗା ମଧ୍ୟ ଚିହ୍ନଟ କରାଯାଇନାହିଁ । ନିମପୁର କିଶୋର କ୍ଲବରେ ଦୀର୍ଘ ୨୦ ବର୍ଷ ହେବ ପିଲାମାନେ ନାହିଁ ନଥିବା ଅବସ୍ଥାରେ ଏଠାରେ ବୌଦ୍ଧିକ ତଥା ଶାରିରୀକ ବିକାଶ ପାଇଁ ବସୁଛନ୍ତି । କ୍ଲବର କୌଣସି ଛୋଟ ମୋଟ ଉତ୍ସବ ହେଲେ ଲୋକମାନେ ଭୋଜି ଭାତ ପାଇଁ ଆୟୋଜନ କରୁଥିବା ବେଳେ ଶିଶୁ ମାନଙ୍କର ପାଠ ପଢାକୁ ବନ୍ଦ ରଖିବାକୁ ପଡିଥାଏ; ନଚେତ କୋଳାହଳ ପରିବେଶରେ ବି ଶିଶୁମାନଙ୍କୁ ସେହି କ୍ଲବ ଘରେ ବାଧ୍ୟତା ମୂଳକ ପାଠ ପଢାଯାଇଥାଏ । କାରଣ କ୍ଲବ ଘରେ ସ୍ଥାନୀୟ ବାସିନ୍ଦାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଲୋକମାନେ ଏହି କ୍ଲବରେ ଏକତ୍ରିତ ହୋଇଥାନ୍ତି । ଏହି କ୍ଲବ ଘର ଉପରେ ସାଧାରଣ ଲୋକ ତଥା ଗ୍ରାମବାସୀମାନେ ସମ୍ପୃର୍ଣ୍ଣ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିବା ଦ୍ୱାରା କୋମଳମତି ଶିଶୁମାନଙ୍କ ଉପରେ କିପ୍ରକାର ପ୍ରଭାବ ପଡ଼ୁଥିବା ତାହା ସହଜରେ ଅନୁମେୟ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।