ଜଗତପୁର ଚୋରି ଘଟଣା: ୩ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ
ଜଗତପୁର(ଏନ୍.ଏମ୍.): କମିଶନରେଟ ପୁଲିସ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଉକ୍ତ ଅଞ୍ଚଳରେ ବାରମ୍ବାର ଚୋରି, ରାହାଜାନି ଭଳି ଘଟଣା ଘଟିବା ଯୋଗୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ତେବେ ତଥାପି ଥାନା ଅଧିକାରୀ ଏହାକୁ ଚାଲେଞ୍ଜ ଭାବେ ନେଇ ଗୋଟିଏ ପରେ ଗୋଟିଏ ଅପରାଧର ପର୍ଦ୍ଦାଫାସ କରିବା ସହ ଅପରାଧୀମାନଙ୍କୁ ଗିରଫ କରି କୋର୍ଟଚାଲଣ କରୁଛି । ତେବେ ଆଜି ଏହି ଥାନା ଅନ୍ତର୍ଗତ ଗୁଞ୍ଜରପୁର ଗ୍ରାମର ସାଇରା ବିବିଙ୍କ ଘରୁ ଚୋରି ଘଟଣାରେ ପଲିସ ଆଜି ୩ ଜଣଙ୍କୁ ଗିରଫ କରି ତାଙ୍କ ଠାରୁ ଚୋରି ହୋଇଥିବା ସମସ୍ତ ସୁନା ଓ ରୁପା ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଗତପୁର ଥାନା ଗୁଞ୍ଜରପୁର ଗ୍ରାମର କଲିମ ଖାନ (୨୫), ସୋନୁ ଓରଫ ସେକ ନଦିମ (୨୧), ସାରୁଖ ଓରଫ ଅଲତାଫ ଆଲମ (୨୧)ରହିଥିବା ଥାନା ପକ୍ଷରୁ କୁହାଯାଇଛି । ପୁଲିସ ସୂଚନା ଅନୁଯାୟୀ, ଗତ ୨୭ ତାରିଖ ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଲୁଟପାଟ କରିଥିଲେ । ମୁଖ୍ୟ ଫାଟକର ତାଲା ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗତ ଟଙ୍କା ଚୋରି କରି ଫେରାର ଥିଲେ । ପରଦିନ ସକାଳେ ବିଭାଘର ଉତ୍ସବରୁ ସାଇରା ବିବି ଫେରି ଚୋରି ହୋଇଥିବା ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରିକରି କେସ ନମ୍ବର ୫୫୩/୨୧ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଅନ୍ୟ ଜଣେ ଦୁର୍ବୃତ୍ତ ଏବେବି ଫେରାର ଥିବା ପୁଲିସ ପକ୍ଷରୁ କୁହାଯାଇଛି ।