ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ : ୪ରେ ଛୁଇଁବ ସ୍ଥଳଭାଗ
ଫସଲ ସୁରକ୍ଷା ନେଇ ପ୍ରଶାସନର ପରାମର୍ଶ
ଭୁବନେଶ୍ୱର(ଏନ୍.ଏମ୍.): ପୁଣି ଆସୁଛି ଆଉ ଏକ ବାତ୍ୟା । ଏହାର ନାମ ରହିଛି ଜୱାଦ । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ସହ ଆସନ୍ତା ଡିସେମ୍ବର ୪ ତାରିଖ ଶନିବାର ସକାଳେ ସ୍ଥଳଭାଗ ଛୁଇଁବ । ଏହି ବାତ୍ୟା ‘ଜୱାଦ’ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାର ପ୍ରଭାବରେ ଘଣ୍ଟାପ୍ରତି ଅତି ବେଶୀରେ ୧୧୦ କିମି ପର୍ଯ୍ୟନ୍ତ ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଡିସେମ୍ବର ୩ ତାରିଖ ମଧ୍ୟରାତ୍ରିରୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ଝଡ଼ପବନ ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବା ସହ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।
ଆଜି ‘ବାତ୍ୟା’ ଜୱାଦ ସମ୍ପର୍କରେ ସୂଚନା ଜାରି କରି ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଆଣ୍ଡାମାନ ସାଗରରେ ଥିବା ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଡିସେମ୍ବର ୨ତାରିଖ ବେଳକୁ ଘନୀଭୂତ ହୋଇ ଅବପାତର ରୂପ ନେବ । ଯାହାକି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ତୀବ୍ର ହେବା ସହ ଡିସେମ୍ବର ୪ ତାରିଖ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ପହଂଚିବାର ସମ୍ଭାବନା ରହିଛି । ଏହା ପ୍ରଭାବରୁ ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ଏବଂ ୪ ତାରିଖରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାରୁ ଅନୁସାରେ ୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ଭିତରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ରହିବ । ଝଟକା ପବନର ବେଗ ଘଣ୍ଟା ପ୍ରତି ୮୫ କିମି ରହିବ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥି ପାଇଁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ପଦକ୍ଷେପମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଗ୍ରହଣ କରାଯାଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୯୦ପ୍ରତିଶତ ଧାନ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ୫୦ପ୍ରତିଶତ ଧାନ କଟା ହେବାକୁ ବାକିଅଛି । ମଧ୍ୟମ କିସମ ଧାନ କଟା ଚାଲିଛି । କପା ତୋଳିବା ଚାଲିଅଛି ଏବଂ ରବି ଫସଲ ଯଥା ମୁଗ, ବିରି, ପନିପରିବା ବୁଣା ଚାଲିଛି । ସେଥିପାଇଁ ସମସ୍ତ ଜିଲ୍ଲାର ଗାଁ ଗାଁରେ ନିଜ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମାଇକ ଦ୍ୱାରା ପ୍ରଚାର କାର୍ଯ୍ୟ ଚାଲୁ ରହିଛି ଏବଂ ନିମ୍ନଲିଖିତ ଉପଦେଶାବଳିକୁ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଉଛି ।
ଶତକଡା ୮୫ ଭାଗ ପାଚିଯାଇଥିଲେ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ, କଟା ହୋଇଥିବା ଧାନକୁ ବେଙ୍ଗଳା କରନ୍ତୁ, କିମ୍ବା ସମସ୍ତ ଧାନ ଅମଳ ସମ୍ଭବ ନହେଲେ ପଲିଥିନ ଘୋଡାଇ ସୁରକ୍ଷିତ ରଖନ୍ତ.ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଏବଂ ନାଳି ମୁହଁ ଖୋଲା ରଖନ୍ତୁ, ଧାନଗଛ ପଡି ଯାଇଥିଲେ ହଳା କରି ଠିଆ କରନ୍ତୁ, ଧାନ କାଟି ବିଲରେ ଶୁଖାନ୍ତୁ ନାହିଁ, ବର୍ଷା ସମୟରେ କୌଣସି କୀଟନାଶକ ସିଞ୍ଚନ କରନ୍ତୁ ନାହିଁ, ସେହିଭଳି ମୁଗ,ବିରି ଓ ପନିପରିବା ଫସଲରେ ପାଣି କାଟିବା ବ୍ୟବସ୍ଥା କରନ୍ତୁ, ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ । କପା ଫସଲରେ ପାକଳ ହୋଇଥିବା ବକରାଗୁଡିକୁ ତୋଳି ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ ଏବଂ ବର୍ଷାର ପରବର୍ତ୍ତୀ ୩-୪ ଦିନପରେ ଖରାରେ ସୁଖାନ୍ତୁ, ସମସ୍ତ ରବିଫସଲ ବିଶେଷକରି ଆଳୁ ଲଗାଇବାକୁ ସାମୟିକ ସ୍ଥଗିତ ରଖନ୍ତୁ, ଆଳୁ ଆଦି ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭାଗୀୟ କମିଶନର ତଥା ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନଙ୍କ ସହ ଏକ ଆଭାସୀ ବୈଠକ କରାଯାଇଥିଲା । ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିମ୍ନୋକ୍ତ ପରାମର୍ଶ ପ୍ରଦାନ କରିଥିଲେ । ସମସ୍ତ ଅଧିକାରୀମାନେ ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ନିଶ୍ଚିତ ରୂପେ ନିଜର ମୁଖ୍ୟ କାର୍ୟାଳୟରେ ଉପସ୍ଥିତ ରହିବେ । ଫସଲ ସୁରକ୍ଷା ଉପଦେଶାବଳୀକୁ କମ୍ୟୁନିଟି ରେଡିଓ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଶେଷ କରିବେ । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆବଶ୍ୟକୀୟ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ।