ଅନ୍ତଃ ହେଲା ୪ଫୁଟ ଉଚ୍ଚ ମୂର୍ତ୍ତି ବିବାଦ: ସରକାରଙ୍କ ଗାଇଡ଼ ଲାଇନ ମାନି ପୂଜା କରିବାକୁ ଶାନ୍ତି କମିଟିର ନିଷ୍ପତ୍ତି

କଟକ(ଏନ୍.ଏମ୍.): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତଃ ଘଟିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ମାନିବା ପାଇଁ ସର୍ବସମ୍ମତି କ୍ରମେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ୪ ଫୁଟ୍ ଉଚ୍ଚତା ଭିତରେ ମୂର୍ତ୍ତି ତିଆରି କରି ମା’ଙ୍କ ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ଓ ସାଧାରଣ ସମ୍ପାଦକ ଭିକାରୀ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଛୁ । ସରକାର ଜାରି କରି ଥିବା ଏସଓପି ଅନୁସାରେ ପୂଜା କରାଯିବ । ହାଇକୋର୍ଟରୁ ବାଲୁବଜାର ପୂଜା କମିଟିକୁ ଝଟକା ମିଳିବାର ପରେ ସହରର ପୂଜା କମିଟି ଏବଂ ଶାନ୍ତି କମିଟି ପକ୍ଷରୁ ଏକ ଆଭ୍ୟନ୍ତରୀଣ ବୈଠକ ବସିଥିଲା । କେତେକ ପୂଜା ମଣ୍ଡପ କର୍ମକର୍ତ୍ତା ଶାନ୍ତି କମିଟି ବୈଠକରେ ଅସନ୍ତୋଷ ଜାହିର କରିବା ସହ ଘଟପୂଜା ପାଇଁ ପ୍ରସ୍ତାବ ଦେଇଥିବାବେଳେ ଆଉ କିଛି ପୂଜା କମିଟି ୪ ଫୁଟ ମୂର୍ତ୍ତି ତିଆରି କରି ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ ।
ସୂଚନାଯୋଗ୍ୟ, କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ୍ ଜାରି କରିଥିଲେ । ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ସୀମିତ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ଏପରି ନିଷ୍ପତ୍ତି ହାସ୍ୟାସ୍ପଦ ବୋଲି ବିଭିନ୍ନ ପୂଜା କମିଟି ସଦସ୍ୟ ଓ ବିରୋଧୀ କଂଗ୍ରେସ ଏବଂ ବିଜେପି କହିଥିଲେ । କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ବଢ଼ାଇବା ପାଇଁ ଗତ ୧୩ ତାରିଖରେ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଥିଲା । ସେହିଭଳି ବହୁ ସାମାଜିକ ସଂଗଠନ ମଧ୍ୟ ଏହାର ପ୍ରତିବାଦ କରିଥିଲେ । ଏବେ ହାଇକୋର୍ଟଙ୍କ ପକ୍ଷରୁ ପୂଜାକମିଟିର ଆବେଦନ ଖାରଜ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ଯୋଗୁଁ କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ହୋଇଥିବା ବିବାଦର ପରିସମାପ୍ତି ଘଟିଛି ।