ପରୀକ୍ଷାଫଳ ପ୍ରକାଶନର ଆଧାରକୁ ସାଧାରଣରେ ପ୍ରକାଶ କରିବା ପାଇଁ ଦାବି: ପୁଣିଥରେ ପରୀକ୍ଷା ଦେଲେ ଉଭୟ ପରୀକ୍ଷା ମଧ୍ୟରୁ ଅଧିକ ନମ୍ବରକୁ ଗ୍ରହଣ କରିବାକୁ ଓଷ୍ଟାର ପ୍ରସ୍ତାବ
କଟକ(ଏନ୍.ଏମ.): ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର ଫଳାଫଳକୁ ନେଇ ସାଧାରଣରେ ଅସନ୍ତୋଷ କୁହୁଳିବାରେ ଲାଗିଛି । କେଉଁ ଆଧାରରେ ପରୀକ୍ଷାଫଳ ପ୍ରକାଶ କରାଗଲା ତାହା ଜାଣିବା ପାଇଁ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରୁଥିଲାବେଳେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ପୁଣିଥରେ ପରୀକ୍ଷା ଦେଲେ ସେମାନଙ୍କର ଉଭୟ ପରୀକ୍ଷାର ନମ୍ବର ମଧ୍ୟରୁ ସର୍ବାଧିକ ନମ୍ବରକୁ ଗ୍ରହଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ରାଜ୍ୟସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରସ୍ତାବ ଦିଆଯାଇଛି ।
ପ୍ରକାଶଥାଉକି, ଚଳିତବର୍ଷ କରୋନା ପାଇଁ ଏପ୍ରିଲ୍ ମାସରେ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ରାଜ୍ୟସରକାର ଅପ୍ରତ୍ୟାଶିତ ଭାବରେ ବାତିଲ କଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଏହାକୁ ଏକ ଐତିହାସିକ ଭୁଲ୍ ନିଷ୍ପତ୍ତି କହିବା ସହିତ ପରୀକ୍ଷାର କୌଣସି ବିକଳ୍ପ ନାହିଁ ଓ ପରୀକ୍ଷା ବ୍ୟତୀତ କେବେହେଲେ ପିଲାମାନଙ୍କୁ ସଠିକ୍ ନ୍ୟାୟ ପ୍ରଦାନ କରି ହେବ ନାହିଁ ବୋଲି ମତବ୍ୟକ୍ତ କରି ଆସୁଥିଲେ । ବୋର୍ଡ଼ ପକ୍ଷରୁ ଗତ ଜୁନ୍ ୨୫ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶିତ ହେଲା । ସେହିଦିନଠାରୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନେ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି । ଗୋଟିଏ ପଟେ ଚଳିତବର୍ଷ ପରୀକ୍ଷାଫଳର ହାର ସର୍ବାଧିକ ହୋଇଥିଲା ବେଳେ ଅନ୍ୟପଟେ ଭଲପିଲାମାନଙ୍କର ନମ୍ବର କମିଯାଇଛି ବୋଲି ଅଭିଯୋଗ ହେଉଛି । ସରକାର ଓ ବୋର୍ଡ଼ ପକ୍ଷରୁ ଶିକ୍ଷକମାନେ ମେଣ୍ଟର ସ୍କୁଲ ମାଧ୍ୟମରେ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଓ ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ନମ୍ବର ବୋର୍ଡ଼କୁ ପଠାଇଥିଲେ । ବୋର୍ଡ଼ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷାର ୪୦ ପ୍ରତିଶତ ଓ ଦଶମ ଶ୍ରେଣୀ ପରୀକ୍ଷାର ୬୦ପ୍ରତିଶତ ନମ୍ବରକୁ ନେଇ ଫଳ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନର ପରୀକ୍ଷାଫଳକୁ ହିସାବ କଲେ ବିଜ୍ଞପ୍ତି ସହିତ କୌଣସି ତାଳମେଳ ନଥିବା କଥା ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି । ବୋର୍ଡ଼ ପକ୍ଷରୁ ଯାହା ସଫେଇ ଦିଆଯାଉଛି ତାହା ଶିକ୍ଷକ ଶିକ୍ଷାବିତ୍ ତଥା ଜନସାଧାରଣଙ୍କୁ ସନ୍ତୁଷ୍ଟ କରିପାରୁ ନାହିଁ । ଯୁକ୍ତଦୁଇ ପରୀକ୍ଷାକୁ ବାତିଲ କଲାପରେ ସରକାରଙ୍କ ପକ୍ଷରୁ ଯେଭଳି ଏକ କମିଟି ଗଠନ କରାଯାଇ ଫଳ ପ୍ରକାଶନ ନିମନ୍ତେ ଏକ ଆଧାର ବା ମାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି, ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ନିମନ୍ତେ ସେଭଳି କୌଣସି ବ୍ୟବସ୍ଥା ଗ୍ରହଣ କରାନଯିବା ଫଳରେ ଆଜିର ଏଭଳି ଅସନ୍ତୋଷ ଦେଖିବାକୁ ମିଳୁଛି । ରାଜ୍ୟ ସରକାର ବା ବୋର୍ଡ଼ କୌଣସି ପରିସ୍ଥିତିରେ ରାଜ୍ୟର ଶିକ୍ଷକ ବା ଶିକ୍ଷାବିତ୍ଙ୍କ ସହିତ ଆଲୋଚନା ନକରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିଷ୍ପତ୍ତି ଏକତରଫା ଭାବରେ ନେବା ଫଳରେ ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହେଉଛି ଓ ଶିକ୍ଷା ହିଁ ରାଜ୍ୟର ପ୍ରମୁଖ ଆଲୋଚନାର ବିଷୟରେ ପରିଣତ ହେଉଛି । ଗୋଟିଏ ଭୁଲ୍କୁ ଲୁଚାଇବାକୁ ଯାଇ ବୋର୍ଡ଼କୁ ଅନେକ ମିଛ ତଥା ଭୁଲ୍ ତଥ୍ୟ ଦେବାକୁ ପଡ଼ୁଛି ବୋଲି ଓଷ୍ଟା ଅଭିଯୋଗରେ ଦର୍ଶାଇଛି ।
ତଥାପି ଆଜିର ସ୍ଥିତିରେ ଏହି ପରିସ୍ଥିତିକୁ ମୁକାବିଲା କରିବାପାଇଁ ହେଲେ ବୋର୍ଡ଼ ପକ୍ଷରୁ ମାଟ୍ରିକ୍ ରେଜଲ୍ଟ ପ୍ରକାଶନ ନିମନ୍ତେ ଯେଉଁ ମାଧ୍ୟମ ନିଆଯାଇଛି ତାହାକୁ ସର୍ବସାଧାରଣରେ ପ୍ରକାଶ କରାଯିବା, ଯେଉଁ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାଫଳ ପ୍ରକାଶନ ପରେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ପୁଣିଥରେ ପରୀକ୍ଷା ଦେବାପାଇଁ ସୁଯୋଗ ଦେବା ଓ ପରୀକ୍ଷା ପରେ ପିଲାମାନେ ନିର୍ଦ୍ଧିଷ୍ଟ ବିଷୟରେ ହାସଲ କରିଥିବା ଉଭୟ ନମ୍ବରକୁ ବିଶ୍ଳେଷଣ କରି ଅଧିକ ନମ୍ବରକୁ ସେହି ବିଷୟର ପ୍ରକୃତ ନମ୍ବର ରୂପେ ଗ୍ରହଣ କରାଯିବାକୁ ଓଷ୍ଟା ପକ୍ଷରୁ ରାଜ୍ୟସରକାର ଓ ବୋର୍ଡ଼କୁ ପ୍ରସ୍ତାବ ଦିଆଯାଇଛି । ଏଥିସହିତ ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖାଇବା ପାଇଁ ପ୍ରତ୍ୟେକ ମହାବିଦ୍ୟାଳୟମାନଙ୍କୁ ନିଜସ୍ୱ ଭାବେ ପ୍ରବେଶିକା ପରୀକ୍ଷା କରାଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବାକୁ ଓଷ୍ଟା ପକ୍ଷରୁ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ରଙ୍କ ସମେତ ସର୍ବଶ୍ରୀ ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।