କମିଶନରେଟ ପୁଲିସ ପଞ୍ଝାରେ ୭ସାଇବର ଲୁଟେରା, ୧୫୦ ମୋବାଇଲ ଓ ୧୬ ହଜାର ସିମ୍ ଜବତ: କଟକରେ ଚାଲିଥିଲା ଅଫିସ
ଭୁବନେଶ୍ୱର (ଏନ୍.ଏମ୍.): ଲକ୍ଡାଉନ ସଟ୍ ଡାଉନ ଚାଲିଥିବାବେଳେ ବିନା ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାରରେ ଲାଗିପଡ଼ିଥିବା ସାଇବର ଲୁଟେରାମାନଙ୍କୁ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଗିରଫ କରିଛି । ପୁଲିସ ପଞ୍ଝାରେ ଏବେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ । ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍ କାର୍ଡ ଜବତ କରିଛି । କଟକରେ ଅଫିସ କରି ଏହି ଅଭିଯୁକ୍ତମାନେ ସାଇବର ଅପରାଧ ଚଳାଇଥିଲେ । ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧୀକ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା । ଅପରାଧୀମାନେ ଠକେଇ କରିବା ପରେ ସିମ୍ ଗୁଡ଼ିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ଲୁଟେରାମାନଙ୍କ ନିକଟରୁ ଜବତ ହୋଇଥିବା ସିମ୍ ଭିତରୁ ନିର୍ଦ୍ଦିଷ୍ଟ ଗୋଟିଏ କମ୍ପାନୀର ଅଧିକ ରହିଥିବା ଜଣାପଡ଼ିଛି । ତେବେ ତଦନ୍ତ ବେଳେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଡକାଯିବ ବୋଲି କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି । କମିଶନରଙ୍କ କହିବା ଅନୁସାରେ ପ୍ରି-ଆକ୍ଟିଭେଟେଡ ସିମ୍ କରି ଓଡ଼ିଶା ବାହାରକୁ ପଠାଉଥିଲେ । ତେବେ ଏସବୁ ସିମ୍ ନେଇ ଓଡ଼ିଶା ଭିତରେ କିଛି ଅପରାଧ ହୋଇନାହିଁ । ଓଡ଼ିଶା ବାହାରେ ସାଇବର ଅପରାଧ କରାଯାଉଥିଲା । ତେକେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନକୁ କୋରିଅରରେ ସିମ୍ ଗୁଡ଼ିକ ଯାଉଥିଲା, ତାହା ଜଣାପଡ଼ିନଥିଲେ ମଧ୍ୟ ପୁଲିସ ତାହା ଉପରେ ତଦନ୍ତ କରୁଛି ବୋଲି କମିଶନର କହିଛନ୍ତି । କମିଶନରଙ୍କ କହିବା ଅନୁସାରେ ସହିଦ୍ ନଗର ଥାନା ଅଞ୍ଚଳର ଏକ ମାମଲାର ଖୋଳତାଡ କରିବାକୁ ପାଇଁ ଏହି ଲିଙ୍କ ମିଳିଥିଲା । ତା’ପରେ ପୁରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା ବୋଲି ପୁଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ।