‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା

‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ: ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା
ଦୃଷ୍ଟିବାଧିତଙ୍କ ସୁରକ୍ଷା ଓ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ

News By I&PR (Odisha)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଆନ୍ତର୍ଜାତିକସ୍ତରରେ ଦୃଷ୍ଟିବାଧିତମାନଙ୍କ ନିମନ୍ତେ ସମର୍ପିତ ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସକାଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୯୯୨ରୁ ଅକ୍ଟୋବର ୧୫ ତାରିଖରେ ପାଳିତ ହୋଇଆସୁଥିବା ଏହି ଆନ୍ତର୍ଜାତିକ ଦିବସ ଦୃଷ୍ଟିବାଧିତମାନଙ୍କ ସୁରକ୍ଷା, ସ୍ୱାଧୀନତା ଓ ସଫଳତାକୁ ପ୍ରୋତ୍ସାହନ ଦେଇଥାଏ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସବୁଜ ପତାକା ହଲାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଧଳାବାଡ଼ି ଦୃଷ୍ଟିବାଧିତମାନଙ୍କ ପାଇଁ ଏକ ଆବଶ୍ୟକତା ବୋଲି ପ୍ରକାଶ କରିଥିଲେ । ଧଳାରଙ୍ଗରେ ଲାଲ ଗାର ରହିଥିବା ଏହି ବାଡ଼ି ସହଜରେ ଲକ୍ଷ୍ୟକରି ହେଉଥିବାରୁ ବ୍ୟବହାରକାରୀ ଦୃଷ୍ଟିବାଧିତମାନଙ୍କ ଗମନାଗମନରେ ଯଥେଷ୍ଟ ସହାୟକ ହୋଇଥାଏ ବୋଲି ପ୍ରକାଶ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ରାଜ୍ୟରେ ଭିନ୍ନକ୍ଷମମାନଙ୍କ ସହଜ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ‘ଆସେସିବୁଲ୍ ଇଣ୍ଡିଆ’ ଯୋଜନା ସଫଳ ଭାବରେ କାର୍ଯ୍ୟକାରୀ ହୋଇଛି । ସେ ମଧ୍ୟ ରାଜ୍ୟରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ଦୃଷ୍ଟିବାଧିତମାନଙ୍କ ପାଇଁ ରହିଥିବା ସୁଯୋଗଗୁଡ଼ିକ ଉପରେ ସୂଚନା ଦେଇଥିଲେ । ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ଦୃଷ୍ଟିବାଧିତମାନଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପଦଯାତ୍ରାରେ ଶତାଧିକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ନାଗରିକମାନେ ମଧ୍ୟ ସାମିଲ ହୋଇଥିଲେ । ପ୍ଲାକାର୍ଡ ଧରି ପଦଯାତ୍ରୀମାନେ ବାଦ୍ୟତାଳରେ ପଥ ଅତିକ୍ରମ କରିବା ସହିତ ଦୃଷ୍ଟିବାଧିତଙ୍କ ସୁରକ୍ଷା ଓ ସମସ୍ୟାରହିତ ଗତିବିଧି ବାବଦରେ ସଚେତନତାର ବାର୍ତ୍ତା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ, ଉପଶାସନ ସଚିବ ରଶ୍ମିରେଖା ମିଶ୍ର, ବିଭାଗୀୟ ଅଧିକାରୀ ସନ୍ନ୍ୟାସୀ କୁମାର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ଉତ୍କଳ ଦୃଷ୍ଟିହୀନ ସଂଘ ପକ୍ଷରୁ ସଚେତନତା ସଭା
ସେହିଭଳି ଉତ୍କଳ ଦୃଷ୍ଟିହୀନ ସଂଘ ଆନୁକୂଲ୍ୟରେ ଏସ୍‌ଭିନିରତାର, ଆନନ୍ଦ ଚାରିଟେବୁଲ୍ ଟ୍ରଷ୍ଟ, ଶାନ୍ତିଧାମ ଫାଉଣ୍ଡେସନ୍‌, ସାଇଟ୍ ସେଭର୍ସ ଇଣ୍ଡିଆ ଇତ୍ୟାଦି ସଂଗଠନ ସହଯୋଗରେ ସତ୍ୟନଗରସ୍ଥିତ ସଂଘର ସମ୍ମିଳନୀ କକ୍ଷରେ ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ସଂଘର ସଭାପତି ସନ୍ନ୍ୟାସୀ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଦୃଷ୍ଟିବାଧିତମାନଙ୍କ ଶିକ୍ଷା, ବୃତ୍ତିଗତ ସଫଳତା ଓ ନିରାପତ୍ତା ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାୟ ଓ ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ସିନେ ଅଭିନେତା ପୃଥିରାଜ ଶତପଥୀ, ନୈନା ଦାସ, ଚନ୍ଦନ କର କାର୍ଯ୍ୟକ୍ରମରେ ଯୋଗଦେଇ ଦୃଷ୍ଟିବାଧିତମାନେ ହୃଦୟରୁ ସତ୍ୟ ଓ ସୌନ୍ଦର୍ଯ୍ୟର ସନ୍ଧାନ ପାଇଥାନ୍ତି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଜର ଡ. କଳ୍ପନା ଦାସ, ଶିରୀଶ ଚନ୍ଦ୍ର ଦାସ, ସୌଭାଗ୍ୟ ରାଉତରାୟ, ଦେବେନ୍ଦ୍ରନାଥ ପ୍ରଧାନ, ଏମ୍‌.ଡି. ଜାଫର ଇକ୍‌ବାଲ୍ ଓ ଶେଖ୍ ସମ୍ମଦ୍ କଳାପାହାଡ଼ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଅତିଥିମାନେ ବ୍ରେଲିଲିପିର ଉଦ୍‌ଭାବକ ଲୁଇ ବ୍ରେଲ୍‌ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବାବେଳେ ଦୃଷ୍ଟିବାଧିତ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଦୃଷ୍ଟିବାଧିତମାନଙ୍କ ମଧ୍ୟରେ ଅତିଥିମାନଙ୍କ ଦ୍ୱାରା ପ୍ରାୟ ପାଞ୍ଚଶହ ଧଳାବାଡ଼ି ବଣ୍ଟନ କରାଯାଇଥିଲା । ସଂଘ ପକ୍ଷରୁ ବାହାରିଥିବା ଏକ ଶୋଭାଯାତ୍ରାରେ ଶତାଧିକ ଦୃଷ୍ଟିବାଧିତ ଯୋଗ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ