ଏସସିବି ମେଡିକାଲର ବାର୍ଷିକତ୍ସୋବରେ ରାଷ୍ଟ୍ରପତି ଡାକ୍ତରଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ
‘ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ’

News by Smruti Ranjan Tripathy (Cuttack)


କଟକ (ଏନ୍‌.ଏମ୍‌.): କଟକର ଐତିହାସିକ ସ୍ୱାସ୍ଥକେନ୍ଦ୍ର ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଡାକ୍ତରମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ଏଥି ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ସେ ଅବତାରଣା କରିବା ସହ ଏହି ମେଡିକାଲ କଲେଜର ଉତ୍ତରୋତ୍ତର କାମନା କରିଛନ୍ତି । ସେ କହିଛନ୍ତି, କଟକକୁ ବିଶ୍ୱପ୍ରସିଦ୍ଧ କରିବା ପାଇଁ ଏସସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଲିଟି ପାରିଛି । ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି । ଆଜି ଏସସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ । ସେହିଭଳି ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ । ତେଣୁ ଡାକ୍ତରମାନେ ଚିକତ୍ସା ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିବା ସହ ଲୋକଙ୍କ କଷ୍ଟ ଓ ଦୁଃଖ ମଧ୍ୟ ଅନୁଭବ କରିବା ଉଚିତ । ଡାକ୍ତରମାନଙ୍କ ଏହି ମହାନତା ଗୁଣ ପାଇଁ ଆଜିକା ଦିନରେ ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ । ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ । ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ । ତେଣୁ ଏହାକୁ ବଜାୟ ରଖିବା ଉଚିତ ବୋଲି କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି ।
ସେ ପୁଣି କହିଲେ ଯେ, ଯେକେହି ଲୋକଙ୍କ ସେବା କରିପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରିପାରିବେନି । କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ । ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢ଼ିଛି, ମାତୃଶିଶୁ ମୃତ୍ୟୁହାର କମିଛି । ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ । ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ ସାଇନ୍ସରେ ଜରୁରୀ । ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ୱପୂର୍ଣ୍ଣ । ଅସାଧ୍ୟ ରୋଗ ଭଲ କରିବା ପାଇଁ ନୂଆ ଔଷଧ ବାହାର କରି ନୋବେଲ ପୁରସ୍କାର ପାଇବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି । ଏହି ବାର୍ଷିକୋତ୍ସବରେ ରାଜ୍ୟପାଳ ଗଣେଣୀ ଲାଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଏସସିବି ମେଡିକାଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ