ତିଗିରିଆରେ ବେଆଇନ ମଦ ତିଆରିକୁ ରୋକିବାରେ ପ୍ରଶାସନ ବିଫଳ

ତିଗିରିଆରେ ବେଆଇନ ମଦ ତିଆରିକୁ ରୋକିବାରେ ପ୍ରଶାସନ ବିଫଳ

News by Maheswar Behera (Athagarh)

ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ତିଗିରିଆ ଅଞ୍ଚଳଟି ଏବେ ବେଆଇନ ମଦ ପ୍ରସ୍ତୁତିର ରାଜଧାନୀ ପାଲଟି ଯାଇଛି । ଏହି ଅଞ୍ଚଳରେ ହଜାର ହଜାର ଲିଟର ମଦ ତଥା ପୋଚକୁ ବିଭାଗୀୟ ଅଧିକାରୀମାନେ ନଷ୍ଟ କରୁଥିଲେ ମଧ୍ୟ ଏହି ଅଞ୍ଚଳରେ ବେଆଇନ ମଦ ତିଆରିକୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରେ ଏକ ଚାଲେଞ୍ଜ ସୃଷ୍ଟି ହୋଇଛି । ପୂର୍ବରୁ ବାରମ୍ବାର ମଦ କାରଖାନାରେ ଚଢ଼ାଉ କରାଯାଇଥିଲେ ମଧ୍ୟ ମଦ ମାଫିଆମାନଙ୍କ ଦୌରାତ୍ମ ଥମିବାରେ ନାଁ ଧରୁନି । ବାରମ୍ବାର ଚଢ଼ାଉ ପରେ ମଦ ତିଆରି ବନ୍ଦ ନହେବାରୁ ପୁଣି ବିଭାଗ ପକ୍ଷରୁ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ପଣସ ପାଟଣା ନିକଟରେ ନିର୍ମାଣାଧୀନ ରେଙ୍ଗାଲି କେନାଲରେ ଚଢ଼ାଉ କରାଯାଇଥିଲା । ଅବକାରୀ କର୍ମଚାରୀ ମାନେ ସେଠାରୁ ବିପୁଳ ପରିମାଣର ବେଆଇନ ଦେଶୀ ମଦ ଓ ମଦ ପ୍ରସ୍ତୁତ କରିବାପାଇଁ ସଂରକ୍ଷିତ କରି ଗଚ୍ଛିତ ରଖାଯାଇଥିବା ଗୁଡ଼ା ପୋଚ ଜବତ କରିଛନ୍ତି । ଜବତ ମଦର ପରିମାଣ ୧୫୪୦ ଲିଟର ହୋଇଥିବା ବେଳେ ୧୬୦୩୦ ଲିଟର ଗୁଡ ପୋଚ ଜବତ କରାଯାଇଛି । ତେବେ ପୋଚ ଗୁଡ଼ିକୁ ଅବକାରୀ କର୍ମଚାରୀ ମାନେ ଢାଳି ନଷ୍ଟ କରିଦେଇଛନ୍ତି । ତେବେ ଏହି ଅଞ୍ଚଳରେ ମଦ ପ୍ରସ୍ତୁତି ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଗଲାଣି । ଅବକାରୀ କର୍ମଚାରୀ ମାନେ ବାରମ୍ବାର ଚଢାଉ କରି ହଜାର ହଜାର ଲିଟର ମଦ ଜବତ କରିବାସହ ବିପୁଳ ପରିମାଣର ପୋଚ ନଷ୍ଟ କରୁଛନ୍ତି କିନ୍ତୁ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇପାରୁନାହାନ୍ତି । ଯାହା ଜଣା ପଡ଼ୁଛି କିଛି ଅସାଧୁ ଅବକାରୀ କର୍ମଚାରୀ ମଦ ପ୍ରସ୍ତୁତକାରୀଙ୍କ ଠାରୁ ଉତ୍କୋଚ ନେଇ ଚଢାଉ ପୂର୍ବରୁ ଆଗୁଆ ସୂଚନା ଦେବା ଫଳରେ ମଦ ପ୍ରସ୍ତୁତକାରୀ ମାନେ ଚଢ଼ାଉ ପୂର୍ବରୁ ଖସି ଯାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ ଓ ଆଠଗଡ ଅବକାରୀ ବିଭାଗ ଉପାଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଠଗଡ ରେଞ୍ଜ ଅବକାରୀ ନିରୀକ୍ଷକ କେଶବଚନ୍ଦ୍ର ଦାସ, କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍‌ର ନିରୀକ୍ଷକ ସଂଜିତ ବାର୍ଲା, ଉପନିରୀକ୍ଷକ ଅଜିତ କୁମାର ପାତ୍ର, ଆଠଗଡ ଅବକାରୀ ରେଞ୍ଜ ଉପନିରୀକ୍ଷକ ସୌମ୍ୟ ରଂଜନ ମାଝୀ ଓ ଅନ୍ୟ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ । ଏ ସଂକ୍ରାନ୍ତରେ ୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *