୫ ମାସ ପରେ ଠକକୁ ଗିରଫ କଲା କିଶନନଗର ପୁଲିସ
#କଟକ(ଏନ୍.ଏମ୍.): ଠକେଇ ରାତାରାତି ବିନା ପରିଶ୍ରମରେ ମନମୁତାବକ ରୋଜଗାର କରିବାର ଏକ ମୁଖ୍ୟ ତରିକା ପାଲଟି ଯାଇଛି । କେବଳ ପ୍ରଲୋଭିତ କରିବା ଭଳି କେତେକ ବାକ୍ୟ ବ୍ୟବହାର କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାର ମାଧ୍ୟମ । ତେବେ ଏ ନେଇ ଭବିଷ୍ୟତରେ କି’ଫଳ ଭୋଗିବାକୁ ହୁଏ ତା’ର ପରିଣାମ ସମ୍ପର୍କରେ ବିଚାର କରିବା ବେଳକୁ ନେଡିଗୁଡ଼ କହୁଣୀକୁ ବୋହିଯାଇଥାଏ । ତେବେ ଠକେଇ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ନିଶା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି । ଶେଷରେ ଉକ୍ତ ବ୍ୟକ୍ତିଜଣକ ଠକେଇ କରି ଧରାପଡ଼ିବା ପରେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବିଭିନ୍ନ ଫାଇନାନ୍ସ ସଂସ୍ଥା ସହ ସୋମପୁର ଠାରେ ଥିବା ଏକ ଜାତୀୟ କରଣ ବ୍ୟାଙ୍କରୁ ବିଭିନ୍ନ ଘରକରଣା ସାମଗ୍ରୀ ଓ କୃଷି ଋଣ କରାଇଦେବାକୁ ବିଶ୍ୱାସ ଜନ୍ମାଇ ଏକାଧିକ ଲୋକଙ୍କ ଆଧାର କାର୍ଡ, ପ୍ୟାନ କାର୍ଡ, ଅନ୍ୟାନ୍ୟ ପରିଚୟପତ୍ର ନେଇ ଋଣ ଉଠାଇ ହଡ଼ପ କରିଥିବା ଜନୈକ ଠକ୍ ନାଁରେ କିଶନ ନଗର ଥାନାରେ ଗତ ଫେବୃଆରୀ ମାସରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଗିରଫ ହେବା ଭୟରେ ଅଭିଯୁକ୍ତ କୋଟୁଆଁ ଗ୍ରାମର ରାଜୁ ଓରଫ ରାଜୀବ ଲୋଚନ ପଣ୍ଡା ସେବେ ଠାରୁ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା । ମାତ୍ର ପୁଲିସ ଦୀର୍ଘ ୫ମାସ ବିତିଯାଇଥିଲେ ମଧ୍ୟ ଏହି ଠକ ପାଖରେ ହାର ମାନିନଥିଲା । ବିଭିନ୍ନ ପ୍ରକାର ଜାଲ ବିଛାଇ ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଅଭିଯୁକ୍ତ ଶ୍ରୀ ପଣ୍ଡାକୁ ଧରିବା ପାଇଁ ବିଭିନ୍ନ ସୂତ୍ରରୁ ତଦନ୍ତ ଜାରି ରଖିବା ସହିତ ଫୋନ୍ ଟ୍ରାକିଙ୍ଗ କରି କିଶନନଗର ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ରଶ୍ମିରଞ୍ଜନ ଦାସ ଅଭିଯୁକ୍ତ ଠକକୁ ଯାଜପୁର ଜିଲ୍ଲାରୁ ଧରିବା ସହ ମାମଲା ନମ୍ବର ୩୫/୨୦୨୩, ଦଫା ୪୨୦,୧୨୦ ବି, ୫୦୬, ୫୦୭, ୩୪ ଆଇପିସିରେ ଗିରଫ କରି କୋର୍ଟ ଚାଲାଣ କରିଛି ।