୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ: ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମାଲକାନଗିରି, ଝାରସୁଗୁଡା, କଳାହାଣ୍ଡି, ମୟୂରଭଞ୍ଜର ଓ ଖୋର୍ଦ୍ଧା ଆଦି ୫ଟି ଜିଲ୍ଲାର ୧୫୮ଟି ହାଇସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କରିଛନ୍ତି । ସେଥି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରେ ରୂପାନ୍ତରକରଣ ହୋଇଥିବା ଭୁବନେଶ୍ୱର ୟୁନିଟ୍-୮ ବାଳକ ହାଇସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ‘ମୋ ସ୍କୁଲ’ ରୂପାନ୍ତରଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ସାଧାରଣ ଉଦ୍ୟୋଗ, ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଦଳାଇ, ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଉଦ୍ଧବ ପ୍ରକାଶ ବେହେରାଙ୍କ ସହିତ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ରୂପାନ୍ତରକରଣ ସମ୍ପର୍କରେ କଥା ହୋଇଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ମାନ୍ୟବର ବିଧାୟକଗଣ, ଜିଲ୍ଲାପାଳ ତଥା ବିଦ୍ୟାଳୟ ତରଫରୁ ୫-ଟି ଉପକ୍ରମ ଆଧାରରେ ବିଦ୍ୟାଳୟ ରୂପାନ୍ତରକରଣ ହୋଇଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।