୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ
#କଟକ(ଏନ୍.ଏମ୍.): ରାଜ୍ୟର ସମସ୍ତ ଜିଲ୍ଲାରେ ସଦର ମହକୁମା, ଉପଖଣ୍ଡମାନଙ୍କରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଚିକିତ୍ସାଳୟ ଗୁଡିକୁ ୫ଟି ଆଧାରରେ ‘ଆମ ହସ୍ପିଟାଲ’ ରୁପାନ୍ତିକରଣ କାର୍ଯ୍ୟକ୍ରମ ଜରିଆରେ ଉନ୍ନତିକରଣ କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରେ ୯ଗୋଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ୫ଟି ଆଧାରରେ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ସାମିଲ କରାଯିବା ନେଇ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଡଃ. ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି ।
ସୂଚନାଯୋଗ୍ୟ ଯେ, ସିଏମସି କମିଶନର, ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ, ପିଡି ଡିଆରଡିଏ, ଅଧୀକ୍ଷଣ ଯନ୍ତ୍ରୀ ପୃର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ, ମଣ୍ଡଳ ଉନ୍ନୟନ ଅଧିକାରୀ, ସଂପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ, ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକଙ୍କୁ ନେଇ ଏକ ୧୨ ଜଣିଆ କମିଟି ଗଠନ କରାଯାଇଥିବା ବେଳେ ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଅଛନ୍ତି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଆବହକ ଅଛନ୍ତି । ୫ଟି ଆଧାରରେ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜରିଆରେ ଉକ୍ତ ୯ଟି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଉନ୍ନତ ଧରଣର କରାଯିବା ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଭିତ୍ତିଭୂମିର ଉନ୍ନତିକରଣ କରାଯାଇ ରୋଗୀମାନଙ୍କୁ ଉନ୍ନତମାନର ମୌଳିକ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏଥିସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକ ହେଉଥିବା ସମସ୍ତ ସୁବିଧା ଉପଲବ୍ଧ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରି ସଂପୃକ୍ତ ବିଭାଗର ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବା ଦିଗରେ ଜିଲ୍ଲାପାଳ ଡଃ.ଚୟନୀ ଗୁରୁତ୍ୱାରୋପ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଏକ ପ୍ରକଳ୍ପ ଭାବେ ଗ୍ରହଣ କରି ଔପଚାରିକତା ସମସ୍ତ ଦସ୍ତାବିଜ ପ୍ରସ୍ତୁତ ସହ ସରକାରଙ୍କ ମଞ୍ଜୁରୀପ୍ରାପ୍ତ ପରେ ସମସ୍ତ କାର୍ଯ୍ୟ କରାଯିବା ସହ ପ୍ରତ୍ୟେକ ମାସ ଏକ ବୈଠକର ଆୟୋଜନ କରାଯାଇ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏହି ବୈଠକରେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ପିଡି ଡିଆରଡିଏ ଅମ୍ବର କୁମାର କର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଦୀପକ ସାହୁଙ୍କ ସମେତ ଅଧୀକ୍ଷଣ ଯନ୍ତ୍ରୀ ପୃର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ବିଭାଗ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ, ସଂପୃକ୍ତ ଅଞ୍ଚଳର ବିଡ଼ିଓ, ସଂପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।