୫୬ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍ଯାପିତ
କେରଙ୍ଗ ସର୍ବଧର୍ମ ସମ୍ମିଳନୀ ଦେଶରେ ଭାଇଚାରାକୁ ପ୍ରୋତ୍ସାହନ ଦେବ : ସୁର ରାଉତର
#ଖୋର୍ଦ୍ଧା(ଏନ୍.ଏମ୍.): ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ୫୬ତମ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍ଯାପିତ ହୋଇଛି । ଏହି ଅଧିବେଶନରେ ଅଖିଳ ଭାରତ ଅହମଦୀୟା ମୁସଲିମ ସଂଗଠନ ଇସଲାହ ଓ ଇରଶାଦ ବିଭାଗର ଉପସଚିବ ମୌଲାନା ଅବ୍ଦୁଲ ଓକିଲ ନିଆଜ ପୌରୋହିତ୍ୟ କରିଥିଲେ । ସର୍ବପ୍ରଥମେ ସୈଫୁର ଅହମ୍ମଦ ପବିତ୍ର କୋରାନ ଆବୃତି କରିଥିବା ବେଳେ ତାହେର ଖାଁ ଉର୍ଦ୍ଦୁ ନଜମ ପରିବେଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ କଟକ ସହରର ମୌଲାନା ଫଜଲ ହକ ଖାଁ କହିଲେ, ଆଜି ଦୁନିଆ ଏକ ଅଶାନ୍ତ ଝଡ଼ର ତାଣ୍ଡବରେ ଦୋଦୁଲ୍ୟମାନ ଅବସ୍ଥା ଦେଇ ଗତି କରୁଛି । ବିଶ୍ୱ ଆର୍ଥିକ ସଙ୍କଟ ଯୋଗୁଁ ପ୍ରାୟ ପ୍ରତି ସପ୍ତାହରେ ଆଗ ଠାରୁ ବଳି ବିପଦ ଘନେଇ ଆସୁଛି । ମହାଶକ୍ତି ଗୁଡ଼ିକର ଆକ୍ରୋଶ, ଶାନ୍ତି ପ୍ରତିଷ୍ଠା କରିବା ବାହାନାରେ ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ କନ୍ଦଳ ଓ ଗୃହଯୁଦ୍ଧ ଗୁଡ଼ିକରେ ସେମାନଙ୍କର ଅବାଧ ପ୍ରବେଶ, ଆଇ.ଏସ୍.ପରି ତଥାକଥିତ ଜେହାଦୀ ସଂଗଠନ ନରହନ୍ତା ରାକ୍ଷସ ସାଜି ମାନବିକତା ବିରୁଦ୍ଧରେ କରୁଥିବା କୁଚକ୍ରାନ୍ତ ଇତ୍ୟାଦି କାର୍ଯ୍ୟକଳାପ ସ୍ପଷ୍ଟ ରୂପେ ଦର୍ଶାଉଛି ଯେ ଆଜି କାଲିର ଘଟଣା ବହୁଳ ସଂକଟଜନକ ପରିସ୍ଥିତି ବିଶ୍ୱ ଜଗତକୁ ପ୍ରଚଣ୍ଡ ଗତିରେ ମୁହାଁଉଥିବା ଭୟାବହ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଠେଲି ଦେଇଛି । ବିଶ୍ୱବ୍ୟାପ୍ତ ଅହମଦୀୟା ମୁସଲିମ ସଂପ୍ରଦାୟର ସର୍ବୋଚ୍ଚ ମୁଖ୍ୟ ଧର୍ମଗୁରୁ ହଜରତ ମିର୍ଜା ମସରୁର ଅହମଦ ସାହେବ ବିଗତ ଅନେକ ବର୍ଷ ହେଲା ଦୁନିଆ ପ୍ରତି ମାଡ଼ି ଆସୁଥିବା ଏହି ସବୁ ବିପଦ ସଂକ୍ରାନ୍ତରେ ପ୍ରତ୍ୟେକ ସାଧାରଣ ଓ ବ୍ୟକ୍ତି ବିଶେଷଙ୍କୁ ସତର୍କ କରାଇ ଆସୁଛନ୍ତି । କୌଣସି ହଟଚମଟ ସୃଷ୍ଟି କରିବା ପାଇଁ ନୁହେଁ, ବରଂ ଏହା ସୂଚାଇ ଦେବା ପାଇଁ ଯେ ଦୁନିଆ ଏହି ଅବସ୍ଥାରେ କିପରି ଆସି ପହଞ୍ଚିଲା ଏବଂ ଏବେ ସେହି ଧ୍ୱଂସ ମୁଖରୁ ପୃଥିବୀକୁ କିପରି ରକ୍ଷା କରାଯାଇ ପାରିବ ।
ଦ୍ୱିତୀୟ ବକ୍ତା ଭାବେ ଯୋଗଦେଇ ମୌଲାନା ମକସୁଦ ଅଲ୍ଲି କହିଲେ, ନେଜାମେ ୱସିଅତ ଏକ ଏøଶୀ ବ୍ୟବସ୍ଥା । ଏହା ଦ୍ୱାରା ଧର୍ମନିଷ୍ଠ ବ୍ୟକ୍ତିମାନେ ସତକର୍ମରେ ଅଗ୍ରସର ହୁଅନ୍ତି । ପ୍ରଭୁଙ୍କ ନିକଟତା ହାସଲ କରନ୍ତି । ଦାନ ଓ ତ୍ୟାଗ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୁଅନ୍ତି । ଏହି ବ୍ୟବସ୍ଥା ପ୍ରତିଷ୍ଠା ହେବା ଦ୍ୱାରା କେହି ଗରିବ ରହିବେ ନାହିଁ । କେହି ବିଧବା ହତାଶ ହେବେ ନାହିଁ । ଏହି ବ୍ୟବସ୍ଥା ଅସହାୟଙ୍କୁ ସହାୟକ ହେବ । ଅନାଥଙ୍କ ବାପ ହେବ । ବୃଦ୍ଧଙ୍କ ସାହାରା ହେବ । ତୃତୀୟ ବକ୍ତା ଭାବେ ଯୋଗଦେଇ ମୌଲାନା ମିର ଅବ୍ଦୁଲ ହଫିଜ କହିଲେ, ବିଶ୍ୱବ୍ୟାପ୍ତ ଅହମଦୀୟା ମୁସଲିମ ସଂଗଠନ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଉଛି । ଇସଲାମର ପ୍ରକୃତ ଶିକ୍ଷାକୁ ପ୍ରସାରିତ କରୁଛି । ଇସଲାମ ନାମରେ ଯେଉଁ ସବୁ ଅମାନୁସିକ କାର୍ଯ୍ୟକରା ଯାଉଛି, ତାର ବିରୋଧ କରୁଛି । ଶାନ୍ତି, ନ୍ୟାୟ ଏବଂ ମାନବ ସେବାକୁ ଗୁରୁତ୍ୱ ଦେଉଛି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ, କେରଙ୍ଗ ଏକ ସର୍ବଧର୍ମ ସମନ୍ୱୟବାଦର ଗନ୍ଥାଘର । ଭାଇଚାରା ପାଇଁ ବେଶ ପରିଚିତ । କେରଙ୍ଗ ସର୍ବଧର୍ମ ସମ୍ମିଳନୀ ଦେଶରେ ଭାଇଚାରାକୁ ପ୍ରୋତ୍ସାହନ ଦେବ । ଏ ଗାଁ ମାଟି ଅନେକ ପ୍ରସିଦ୍ଧ ଖେଳାଳି, ଦେଶମାତୃକାର ସେବାରେ ନିଜକୁ ସମର୍ପିତ କରୁଥିବା ଯବାନ ଏବଂ ଅନେକ ଧର୍ମଗୁରୁମାନଙ୍କୁ ଜନ୍ତ ଦେଇ, ଏମାଟିକୁ ପବିତ୍ର ଓ ଗୌରବ କରିଛି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ବିଧାୟକ ଜିତୁମିତ୍ର କହିଲେ ଯେ, ଆମର କେରଙ୍ଗ ଗାଁ ସହିତ ବହୁତ ପୁରାତନ ସମ୍ପର୍କ ରହିଛି । ଆମେ ସେବେଠାରୁ ଦେଖି ଆସୁଛୁ, ଏ ମାଟିର ମଣିଷ ସର୍ବଦା କିଛି ଭଲ କରିବାକୁ ଚାହୁଁଛି । ଦେଶ ପାଇଁ ଏ ଗାଁ ଗୌରବର କଥା । ସୁଯୋଗ୍ୟ ସନ୍ତାନ ହିଁ ସୁଦକ୍ଷ ହୋଇଥାଏ । ଜିଲ୍ଲା, ରାଜ୍ୟ ଏବଂ ଦେଶ ପାଇଁ ଏ ଗାଁର ଲୋକମାନେ ଦେଶପ୍ରେମର ଅମୂଲ୍ୟ ବାର୍ତ୍ତା ବହନ କରିଛନ୍ତି । ସେହିଭଳି ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଅମିର ମୁହମ୍ମଦ ନୁରୁଦ୍ଦିନ ଅମିନ, ଚେୟାରମ୍ୟାନ ପାଣ୍ଡବ ସେନା ଫାଉଣ୍ଡେସନ ଡ. ସନ୍ତୋଷ ଜେନା, ଚେୟାରମ୍ୟାନ ଜଟଣୀ ବ୍ଲକ ବିଜୁ ଛୋଟରାୟ, ପୂର୍ବତନ ଉପସଭାପତି ଖୋର୍ଦ୍ଧାବ୍ଲକ ରାମଚନ୍ଦ୍ର ସାମନ୍ତରାୟ, ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଏବଂ ଓଡ଼ିଶା ମୋ ପରିବାର କମିଟି ଅରୁପ ପଟ୍ଟନାୟକ, ଜଟଣୀର ସମାଜ ସେବୀ ସୁରଜ ପାଇକରାୟ, ଜଟଣୀ ବିଜେଡ଼ି ସଭାପତି ବିଭୁତି ଭୁଷଣ ବଳବନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ କୁମାର ଦଳେଇ ଯୋଗ ଦେଇଥିଲେ । ଏହି ସର୍ବଧର୍ମ ସମ୍ମିଳନୀରେ ପଞ୍ଜାବ, ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ, ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ବଙ୍ଗାଲ, ତେଲେଙ୍ଗାନା, ଆନ୍ଧ୍ରା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଅନେକ ଅହମଦୀୟା ମତବାଦର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । କେରଙ୍ଗ ଅହମଦୀୟା ମୁସଲିମ ସଭାପତି ଅମିରୁଦ୍ଦିନ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ।