୫ମ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ତଦାରଖ କମିଟି ବୈଠକ
କଟକ(ଏନ୍.ଏମ୍.): ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ପଞ୍ଚମ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଲୋକ ସଭା ସାଂସଦ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୃଷି, ଜଳ ଛାୟା, ସାମାଜିକ ସୁରକ୍ଷା, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଦୀନଦୟାଲ ଉପାଧ୍ୟାୟ ଗ୍ରାମ କଲ୍ୟାଣ ଯୋଜନା, ଅମୃତ ପାନୀୟ ଜଳ ଯୋଜନା, ଜଳ ଯୋଗାଣ, ମନୋରେଗା ଯୋଜନା ଆଦି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସାଂସଦ, ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବୈଠକରେ ମନ୍ତ୍ରୀ, ବିଧାୟକ, ଯୋଜନା କମିଟି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଏହି ବୈଠକରେ ଉପରୋକ୍ତ ଯୋଜନା ଗୁଡିକର କାର୍ଯ୍ୟପନ୍ଥା ନିର୍ଧାରଣ ତଥା ଅଗ୍ରଗତି ସମ୍ପର୍କରେ ବିସ୍ତ୍ରୁତ ତଥ୍ୟ ଉପସ୍ଥାପନ କରାଯାଇଥିଲା । ବୈଠକରେ ସାଂସଦ ଶ୍ରୀ ମହତାବଙ୍କ ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ପୋଷଣ କମିଟି, ବକେୟା ସାମାଜିକ ସୁରକ୍ଷା ପେନସନ ରାଶି, ମହାନଦୀରୁ ପାନୀୟ ଜଳ ଯୋଗାଣ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ନିର୍ମାଣ, ଫସଲ ବୀମା ଯୋଜନା, ଅଙ୍ଗନବାଡି ଗୃହ ନିର୍ମାଣ, ମୋ ବଗିଚା ଯୋଜନାରେ ଉଦ୍ୟାନ ନିର୍ମାଣ ତଥା ଉନ୍ନୟନ କାର୍ଯ୍ୟ ନିମନ୍ତେ ନୂତନ ପ୍ରସ୍ତାବ ଗ୍ରହଣ କରାଯାଇ କାର୍ଯ୍ୟ ପନ୍ଥା ଅବଲମ୍ବନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ବିଦ୍ୟାଳୟ ମାନଙ୍କରେ ତଥା ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଥିବା ସରକାରୀ ଜାଗାମାନଙ୍କରେ ଅଙ୍ଗନବାଡି ଗୃହ ନିର୍ମାଣ, ବୃକ୍ଷରୋପଣ ତଥା ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟିକୁ ଆଣି କାର୍ଯ୍ୟପନ୍ଥା ସ୍ଥିର କରାଯିବା ନେଇ କମିଟିର ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । ଅଙ୍ଗନବାଡି ଗୃହ ନିର୍ମାଣ କରାଯିବା ନିମନ୍ତେ ଏକ କମିଟି ଗଠନ କରି କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମନରେଗା ଯୋଜନାରେ ଜିଲ୍ଲାରେ ୨୦୨୧-୨୦୨୨ ମସିହା ପାଇଁ ୩୨୧.୬୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ସ୍ଥିରକରାଯାଇଥିବା ବେଳେ ମନରେଗା ଯୋଜନାରେ ବିଭିନ୍ନ କାର୍ଯ୍ୟ ନିମନ୍ତେ ୫୯,୩୧,୫୦୦ କାର୍ଯ୍ୟ ଦିବସ ଲକ୍ଷ୍ୟ ରଖାଯାଇ ଜୁଲାଇ ମାସ ୧୪ ତାରିଖ ସୁଦ୍ଧା ୨୧,୩୯,୨୧୭ କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଯୋଜନା ଅନ୍ତର୍ଗତ ୧୭୦୪୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରାଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ଦୀନଦୟାଲ ଉପାଧ୍ୟାୟ ଗ୍ରାମ କଲ୍ୟାଣ ଯୋଜନାରେ ୨୭୬୦ ଜଣ ବେରୋଜଗାରଙ୍କୁ ତାଲିମ ଦିଆଯାଇ ଯଥା ସମ୍ଭବ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଭିତ୍ତି ଭୂମି ପ୍ରସ୍ତୁତି ପାଇଁ ପଦକ୍ଷପ ନେବା ସହ ମାନବ ସମ୍ଭଳ ଓ ଆବଶ୍ୟକ ଯନ୍ତ୍ରପାତି ଊପଲବ୍ଧ ହେବା ନେଇ ମନ୍ତ୍ରୀ ଓ ସାଂସଦ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ଆୟୋଜିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଚୌଦ୍ୱାର କଟକ ବିଧ୍ୟାୟକ ସୌଭିକ ବିଶ୍ୱାଳ, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ,ସି.ଏମ.ସି. କମିଶନର ଅନନ୍ୟା ଦାସଙ୍କ ସମେତ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ,ବି.ଡ଼ି.ଓ ,ଜିଲ୍ଲା ସ୍ତରୀୟ ସଂପୃକ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ ।