୫ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର
ବ୍ରହ୍ମପୁର (ଏନ୍.ଏମ୍.): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀ କେବଳ ଗଞ୍ଜାମ ବା ଓଡିଶା ନୁହେଁ, ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ମା’ଙ୍କ ପୂଜା ନିମନ୍ତେ ପ୍ରତିଦିନ ଓଡିଶା ଓ ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତ ଆସିଥାନ୍ତି । ତେଣୁ ଭକ୍ତମାନଙ୍କ ସୁବିଧା ତଥା ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ମୁଖ୍ୟ ମନ୍ଦିରର ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ । ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ, ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ ପଥ ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ । ସେହିପରି ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ହସ୍ତ ପଦ ଧୋଇବା ପାଇଁ ପାଣିର ବ୍ୟବସ୍ଥା, ପ୍ରେକ୍ଷାଳୟ ଆଦି ନିର୍ମାଣ କରାଯିବ । ଏହାସହିତ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ହଲ, ପୂଜକମାନଙ୍କ ପାଇଁ ଗୃହ, ମନ୍ଦିର ରୋଷଘର, ଭୋଗମଣ୍ଡପ ମଧ୍ୟ ନିର୍ମାଣ କରାଯିବ । ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଲୋକ ସଜ୍ଜା ମଧ୍ୟ କରାଯିବ । ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତୀକରଣ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ, ଲ୍ୟାଣ୍ଡସ୍କେପିଂ ସହିତ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ନିକଟରେ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶ ସମ୍ପର୍କରେ ପୂଜକ ସ୍ଥାନୀୟ ଜନସାଧାରଣ, ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।