‘୧୧ରୁ ନାଇଟ୍ କର୍ଫ୍ୟୁ, ପୁଲିସ୍ ସ୍କାନରରେ ରହିବେ ଅପରାଧୀ’

‘୧୧ରୁ ନାଇଟ୍ କର୍ଫ୍ୟୁ, ପୁଲିସ୍ ସ୍କାନରରେ ରହିବେ ଅପରାଧୀ’

‘୧୧ରୁ ନାଇଟ୍ କର୍ଫ୍ୟୁ, ପୁଲିସ୍ ସ୍କାନରରେ ରହିବେ ଅପରାଧୀ’


ଭୁବନେଶ୍ୱର(ଏନ୍‌.ଏମ୍‌.): ପାର୍ବଣ ଆରମ୍ଭ ହୋଇ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବି ବଢ଼ିବାରେ ଲାଗୁଛି । ଏପରି ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଅଧିକ ସମ୍ଭାବନା ରହିଛି । ତେଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା କମାଇବାକୁ ଆସନ୍ତା ୧୧ ତାରିଖରୁ ଦ୍ୱୈତନଗରୀରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏହି କଟକଣା ରାତି ୮ଟାରୁ ସକାଳୁ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିଭଳି ମଣ୍ଡପ ଭିତ୍ତରେ ଆଲୋକ ସଜ୍ଜା ପାଇଁ କଟକଣା ନଥିବାବେଳେ ମଣ୍ଡପ ବାହାରେ କୌଣସି ସାଜସଜ୍ଜା ହେବ ନାହିଁ । ପାର୍ବଣ ବେଳେ ପୁଲିସ୍ ରାଡାରରେ ରହିବେ ଅପରାଧୀ । ସେହିଭଳି ଚାନ୍ଦାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଯଦି କୌଣସି ଠାରେ ଚାନ୍ଦା ଆଦାୟ ହୋଇଥାଏ ତେବେ ସେମାନଙ୍କ ବିରୋଧରେ ୧୧୦ ଭଳି ଦଫା ଲଗାଯାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏନେଇ ପୁଲିସ୍ କମିଶନର କହିଛନ୍ତି, ଯେପରି ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ । ନିୟମ ଖିଲାପ କଲେ ଅମାନିଆଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଏଥିସହ ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କିଏ ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ସିପି ଶ୍ରୀ ପ୍ରିୟଦର୍ଶୀ ଅପିଲ କରିଛନ୍ତି । ଏଥିସହ ପାର୍ବଣ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ ପୁଲିସର ସ୍କାନରରେ ରହିବେ ଅପରାଧୀ । ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୁଲିସ୍ । ଟ୍ୱିନ୍ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି ଚେତାବନୀ ଦେଇଛନ୍ତି । କୋଭିଡ୍ ନିୟମ ଅନୁଯାୟୀ ମଣ୍ଡପରେ ପୂଜା ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି ସିପି । ଏଥିସହ ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ । ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିପି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ