ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି
#କଟକ(ଏନ୍.ଏମ୍.): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ କଳିର ପୂର୍ଣ୍ଣଛେଦ ପଡ଼ିଛି । ଆଜି ମହିଳା ଥାନାରେ କାଉନସେଲିଂ ପରେ ସ୍ୱାମୀ-ସ୍ତ୍ରୀ ପୂର୍ବଭଳି ଗୋଟିଏ ସ୍ଥାନରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ତାଙ୍କ ମଧ୍ୟରେ ଗୋଟିଏ ଭୁଲ ବୁଝାମଣା ଥିଲା ବୋଲି ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରେୟା ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହି ଦମ୍ପତ୍ତିଙ୍କ ପାରିବାରିକ ବିବାଦର ସମାଧାନ ହୋଇଥିବା ଜାଣିବା ପରେ ବୁଦ୍ଧିଜୀବୀମାନେ ଉଭୟଙ୍କୁ ପ୍ରଶଂସା କରିବା ସହ କଳି ଯୁଗରେ ଭୁଲବୁଝାମଣା ଘଟିବା ବଡ଼ କଥା ନୁହେଁ; ମାତ୍ର ଉଭୟେ ନିଜନିଜର ସମସ୍ୟାକୁ ଉପଲବ୍ଧି କରି ପୁଣି ସୁନାର ସଂସାର ଗଢ଼ିବେ ଏହାଠାରୁ ବଡ଼ କଥା କିଛି ନାହିଁ ବୋଲି ମତପ୍ରକାଶ କରିଛନ୍ତି । ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କର ପାରିବାରିକ ବିବାଦର ସମାଧାନ ଥିବା ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରେୟା ମିଶ୍ର ଆସି ସ୍ୱାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ । ଏଣେ ଶ୍ରେୟା ବି କହିଛନ୍ତି ଯେ, ସେ ସ୍ୱାମୀ ହ୍ୟୁମାନ ସାଗରଙ୍କ ସହ ରହିବେ । ତେବେ ହ୍ୟୁମାନ ସାଗର ଓ ତାଙ୍କ ମା’ ବି ସମାନ କଥା ଦୋହରାଇଛନ୍ତି । ହ୍ୟୁମାନ କହିଛନ୍ତି, ଆମ ଭିତରେ ବୁଝାମଣା ହୋଇଯାଇଛି । ଆମେ ଏକାଠି ରହିବୁ । ସୂଚନାଯୋଗ୍ୟ ଯେ, ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରେୟା ମିଶ୍ର ଆଜି ମହିଳା ଥାନାରେ ପହଞ୍ଚିଥିଲେ । ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା’ ଶେଫାଳି ସୁନା ମଧ୍ୟ ଥାନାରେ ଆସିଥିଲେ । ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କୁ କାଉନସେଲିଂ କରିଥିଲା । ଆଜି ମହିଳା ଥାନାରେ ଉଭୟେ ନିଜର ନିଷ୍ପତ୍ତି ଜଣାଇଥିଲେ । ଏସିପି ଅମିତାଭ ମହାପାତ୍ର ଓ ମହିଳା ଥାନାରେ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଉଭୟ ନିଜ ନିଷ୍ପତ୍ତି ଜଣାଇଥିଲେ । ତେବେ କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ଶ୍ରେୟା ମହିଳା ଥାନାରେ ଅଭିଯୋଗ କରିଥିଲେ । ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କାଉନସେଲିଂ ପାଇଁ ମହିଳା ଥାନାକୁ ଡକାଯାଇ କାଉନସେଲିଂ କରାଯାଇଥିଲା । କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ । ପରେ ଶ୍ରେୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ଥାନାକୁ ଆସିପାରିବେ ନାହିଁ ଏବଂ ୩୦ ତାରିଖରେ ଆସିବା ନେଇ ଅଧିକାରୀଙ୍କୁ ଅବଗତ କରିଥିଲେ । ଆଜି ଉଭୟ ମହିଳା ଥାନାରେ ହାଜର ହେବା ପରେ ଉଭୟଙ୍କର କାଉନସେଲିଂ କରାଯିବା ସମୟରେ ଏହି ବିବାଦର ଅବସାନ ଘଟିଛି ।