ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବିରେ ବିକ୍ଷୋଭ: ପାରମ୍ପରିକ ନାଚଗୀତରେ ଦୁଲୁକିଲା ଆଠଗଡ଼
#ଆଠଗଡ଼(ଏନ୍.ଏମ୍.): ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ସହିତ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ଦାବି ରଖି ରାଜ ରାସ୍ତାକୁ ଓହ୍ଲାଇଲେ ଏହି ସମ୍ପ୍ରଦାୟର ଶତାଧିକ ଅଧିବାସୀ । ସେପଟେ ନିଜର ନାର୍ଯ୍ୟ ହକ ପାଇଁ ବ୍ଲକ ସମ୍ମୁଖରେ ବସିଲେ ଗଣଧାରଣା । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସମ୍ପ୍ରତି ରାଜ୍ୟର କୋଣ ଅନୁକୋଣରେ ହୋ ଭାଷାର ସ୍ୱତନ୍ତ୍ର ମାନ୍ୟତା ଦାବି ଉଠିଥିବାବେଳେ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡରେ ବସବାସ କରୁଥିବା ହୋ ଭାଷା ଭାସି ସମ୍ପ୍ରଦାୟର ଜନସାଧାରଣଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ସହିତ ହୋ ଭାଷାକୁ ଦ୍ୱିତୀୟ ରାଜ ଭାଷା ଭାବେ ସ୍ୱୀକୃତି ଦେବାକୁ ଦାବି କରାଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦିଆଯାଇଥିଲା । ହୋ ଭାଷାକୁ ରାଜ ଭାଷାର ସ୍ୱୀକୃତି ଦେବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏସରକାର ଏଥି ପ୍ରତି କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟ ଜନକ ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି । କଟକ ଜିଲ୍ଲା ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ସାନ୍ଧେଲ ଏବଂ ହୋ ସଂଗଠନ ସହକାରୀ କୋଷାଧ୍ୟକ୍ଷ ଗୋମୋୟା ଆମୋଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଶତାଧିକ ଅଞ୍ଚଳବାସୀ ଉପସ୍ଥିତଥିଲେ । ଏହି ଅବସରରେ ହୋ ସମ୍ପ୍ରଦାୟର ଅଧିବାସୀମାନଙ୍କ ପକ୍ଷରୁ ପାରମ୍ପରିକ ନାଚ ଗୀତରେ ତାଳେ ତାଳେ ସମ୍ପୂର୍ଣ୍ଣ ଆଠଗଡ଼ ସହର ପରିକ୍ରମା କରିଥିଲେ । ତେବେ ଏହି ପ୍ରତିବାଦ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟର ଧ୍ୱନୀରେ ସମ୍ପୂର୍ଣ୍ଣ ଆଠଗଡ଼ ଦୁଲୁକିଥିବା ଦେଖିବାକୁ ମିଳିଥିଲା । ତେବେ ବିକ୍ଷୋଭକାରୀମାନେ ଆଠଗଡ଼ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ସହ ସେଠି କିଛି ଘଣ୍ଟା ଗଣଧାରଣାରେ ବସିଥିଲେ । ତେବେ ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ଆଠଗଡ଼ ବିଡ଼ିଓ ବିକ୍ଷୋଭକାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ଏ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଡିଓଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଏହି ବିକ୍ଷୋଭ ହଟିଥିଲା । ସୂଚନା ଯୋଗ୍ୟ ଯେ, ଏହି ସମ୍ପ୍ରଦାୟର ଅଧିବାସୀମାନେ ହୋ ଭାଷାକୁ ସ୍ୱତନ୍ତ୍ର ମାନ୍ୟତା ଦାବିରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ବିକ୍ଷୋଭକାରୀଙ୍କ ଯୁକ୍ତି ଅନୁଯାୟୀ ଓଡିଶା, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡ଼ ଭଳି ରାଜ୍ୟରେ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ ଲୋକେ ଏହି ଭାଷା ବ୍ୟବହାର କରୁଥିବା ବେଳେ ଏହି.ହୋ.ଭାଷାରେ ଓଡ଼ିଶାରେ ପ୍ରାଥମିକସ୍ତରରେ ବହୁ ଭାଷିକ ଶିକ୍ଷା ଯୋଜନାରେ ପାଠ ପଢା ଯାଉଛି । ଏହା ସହିତ ଏହି ଭାଷା ଭାରତ ବର୍ଷର ସର୍ବ ପୁରାତନ ଭାଷା ଅଟେ । ଯାହାର ନିଜସ୍ୱ ଲିପି ୱାରାଚିତ, ସମୃଦ୍ଧ ମୌଖିକ ଓ ଲିଖିତ ସାହିତ୍ୟ ରହିଛି । ତେଣୁ ଏହାକୁ ସାମ୍ବିଧାନିକ ମାନ୍ୟତା ଦିଆଯିବା ଉଚିତ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି ।