ହୀରାକୁଦ ଜଳ ଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ: ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ ଲକ୍ଷ୍ୟ

ହୀରାକୁଦ ଜଳ ଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ: ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ ଲକ୍ଷ୍ୟ

ହୀରାକୁଦ ଜଳ ଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ: ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ ଲକ୍ଷ୍ୟ


ସମ୍ୱଲପୁର (ଏନ୍‌.ଏମ୍‌.): ହୀରାକୁଦ ଜଳ ଭଣ୍ଡାରରୁ ଏବେ ଉତ୍ପାଦନ ହେବ ସୌର ବିଦ୍ୟୁତ । ଜଳଭଣ୍ଡାରରୁ ଜଳବିଦ୍ୟୁତ ଉତ୍ପାଦନ ହେଉଥିବାବେଳେ ଏଠାରୁ ସୌରବିଦ୍ୟୁତ ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଫଳରେ ଅଧିକ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ ବୋଲି ଜଣାପଡ଼ିଛି । ହୀରାକୁଦ ଜଳ ଭଣ୍ଡାର ନିର୍ମାଣର ପ୍ରମୁଖ ୩ଟି କାରଣ ମଧ୍ୟରେ ପ୍ରଥମେ ବନ୍ୟା ନିୟନ୍ତ୍ରଣ, ଦ୍ୱିତୀୟରେ ଜଳ ସେଚନ ଓ ତୃତୀୟରେ ଜଳ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରହିଥିଲା । ତେବେ ଏସବୁ ଉଦ୍ଦେଶ୍ୟ ପୂରଣ ହେବା ସହିତ ଏବେ ଏଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇ ଯାଇଛି ହୀରାକୁଦ ଜଳଭଣ୍ଡାର ସହିତ । ଅଗାମୀ ଦିନରେ ଏଠାରୁ ଉତ୍ପାଦନ ହେବ ସୌର ବିଦ୍ୟୁତ । ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ସର୍ଭେ କାମ ମଧ୍ୟ ଶେଷ ହୋଇଛି । ହୀରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳ ରାଶିରେ ନିର୍ମାଣ ହେବାକୁ ଯାଉଛି ସୌର ବିଦ୍ୟୁତ ପ୍ରକଳ୍ପ । ଡ୍ୟାମ୍ ଭିତରେ ସୋଲାର ପାନାଲ ଗୁଡ଼ିକରୁ ଉତ୍ପାଦନ ହେବ ବିଜୁଳି । ସେଥିପାଇଁ ଜଳ ରାଶିରେ ଭାସମାନ ଅବସ୍ଥାରେ ଏହି ସୋଲାର ପାନେଲ୍ ଗୁଡ଼ିକୁ ରଖାଯିବା ପାଇଁ ବ୍ୟବସ୍ଥା ହେଉଛି । ସେହି ପାନେଲ୍ ଗୁଡ଼ିକୁ ଏମିତି ଢ଼ଙ୍ଗରେ ରଖାଯିବ ଯେ, ଡ୍ୟାମର ଜଳସ୍ତର କମିଲେ କି ବଢ଼ିଲେ ମଧ୍ୟ ଯେପରି ସ୍ଥାନାନ୍ତର କରିବାକୁ ପଡ଼ିବନାହିଁ । ତେବେ ଜଳଭଣ୍ଡାରରେ ବ୍ୟବହାର ହେବାକୁ ଥିବା ପାନେଲ ଗୁଡ଼ିକର ଆୟୁଷ ୨୫ ବର୍ଷ ରହିବ । ଭାରତ ସରକାରଙ୍କ ନବୀକରଣଯୋଗ୍ୟ ଉର୍ଜା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସୋଲାର୍ ଏନର୍ଜି କର୍ପୋରେସନ ଅଫ୍ ଇଣ୍ଡିଆ ଏହି ପ୍ରକଳ୍ପ କାମ ହାତକୁ ନେଇଛି । ପ୍ରକଳ୍ପ ନିର୍ମାଣ ପୂର୍ବରୁ ସର୍ଭେ କାମ ଶେଷ ହୋଇଛି । ଏକ ଘରୋଇ ସଂସ୍ଥା ଡ୍ୟାମର ୧୦ ବର୍ଗ କିଲୋମିଟର ଅଞ୍ଚଳରେ ସର୍ଭେ କାମ ଶେଷ କରିଛି । ସେଥିମଧ୍ୟରୁ ୧ ବର୍ଗ କିଲୋମିଟର ଅଞ୍ଚଳରେ ସୌର ବିଦ୍ୟୁତ ପ୍ରକଳ୍ପ କାମ କରାଯିବ । ଏ ବାବଦକୁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ସୋଲାର ପାନେଲରୁ ୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବ । ଏହି ପ୍ରକଳ୍ପ ପାଇଁ ଓଡ଼ିଶା ଜଳ ସମ୍ପଦ ବିଭାଗ ଓ ଶକ୍ତି ବିଭାଗ ଅନୁମତି ଦେଇଛି । ଏଠାରେ ଉତ୍ପାଦିତ ହେବାକୁ ଥିବା ବିଜୁଳି ଗ୍ରୀଡକୋ କିଣିବାକୁ ସହମତି ଦେଇସାରିଛି । ଯାହାର ଗ୍ରୀଡ୍ ସବ୍ ଷ୍ଟେସନ୍ ବୁର୍ଲା କଣ୍ଟାପାଲିରେ ରହିବ । ତେବେ ହୀରାକୁଦରେ ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା ଦୈନିକ ୨୭୫ ମେଗାୱାଟ ରହିଥିବାବେଳେ ବର୍ତ୍ତମାନ ହାରାହାରି ୭୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ବିଭିନ୍ନ କାରଣ ଯୋଗୁ ପୂର୍ଣ୍ଣ କ୍ଷମତା ଅନୁସାରେ ବିଜୁଳି ଉତ୍ପାଦନ ହୋଇପାରୁ ନାହିଁ । ଏହି ସମୟରେ ବିନା କୌଣସି ପ୍ରଦୂଷଣରେ ପ୍ରସ୍ତାବିତ ସୌର ବିଦ୍ୟୁତ ପ୍ରକଳ୍ପ ରାଜ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି କୁହାଯାଉଛି । ପୁନଶ୍ଚ ଏହା ଜଳଭଣ୍ଡାରରୁ ଜଳବାଷ୍ପ ରୋକିବା କ୍ଷେତ୍ରରେ ମଧ୍ୟ ବେଶ ସହାୟତ ହେବ ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ଡ୍ୟାମରୁ ଯେତିକି ଜଳ ବାଷ୍ପୀଭୁତ ହୋଇ ଚାଲିଯାଉଛି, ତାହା ଶିଳ୍ପ ସଂସ୍ଥାମାନେ ନେଉଥିବା ଜଳ ପରିମାଣଠାରୁ ବହୁତ ଅଧିକ । ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ହେଲେ ସୋଲାର ପାନେଲ ଦ୍ୱାରା ଜଳଭଣ୍ଡାର ଢାଙ୍କି ହୋଇଯିବ । ଜଳଭଣ୍ଡାରରୁ ବାଷ୍ପୀକରଣ ହ୍ରାସ ପାଇବ ବୋଲି ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି