ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ
କଟକ(ଏନ୍.ଏମ୍.): ଶ୍ରୀମନ୍ଦିର ପ୍ରକଳ୍ପ ମାମଲା ଏବେ ହାଇକୋର୍ଟରେ ଥିବାବେଳେ କୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟସରକାର ଓ ଏଏସଆଇ ପାଳନ କରି ପାରିନାହାନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗର ବିସ୍ତୃତ ତଥ୍ୟ ହାଇକୋର୍ଟରେ ପ୍ରଦାନ କରାଯାଇ ପାରିନାହିଁ । ଏଥିନିମନ୍ତେ ଆଜି ଆଫିଡେଭିଟ ଦାଖଲ କରି ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ସମ୍ଭବ ହୋଇପାରିନି । ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ଉଭୟ ରାଜ୍ୟ ସରକାର ଓ ଏଏସଆଇ । ମେ’ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି । ଶ୍ରୀମନ୍ଦିରର ମେଘନାଦ ପାଚେରୀରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ମାଗିଥିଲେ ହାଇକୋର୍ଟ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କ’ଣ ନିର୍ମାଣ ହେଉଛି? ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ରହିଛି ନା ନାହିଁ? ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ? ଏହି ୩ଟି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆଜି ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଓ ରାଜ୍ୟ ସରକାରଙ୍କ ତରଫରୁ ଏନେଇ ବିସ୍ତୃତ ରିପୋର୍ଟ ଦାଖଲ ହୋଇପାରି ନାହିଁ । ଏଥିପାଇଁ ସେମାନେ ଅଧିକ ସମୟ ମାଗିଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଓ ଏଏସଆଇ ବିଶେଷଜ୍ଞ ଟିମ୍ ଦ୍ୱାରା ମିଳିତ ଭାବେ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବାକୁ ପୁନଃ ନିର୍ଦ୍ଦେଶ ଦେଲେ କୋର୍ଟ । ମାମଲାରେ ଏକ ଇଣ୍ଟରଭେନିଂ ପିଟିସନ ମଧ୍ୟ ହାଇକୋର୍ଟରେ ଦାୟର କରାଯିବ । ଏନେଇ ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ଓକିଲ କହିଛନ୍ତି, ଆଜି ରାଜ୍ୟ ସରକାର ଓ ଏଏସଆଇ ପକ୍ଷରୁ କିଛି ବି ଆଫିଡେଭିଟ ଦାଖଲ ହୋଇନି । ମେ’ ମାସ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି । ହେଲେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆଗେଇ ଯିବ । ବେଆଇନ ଖନନ ଯୋଗୁ ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି । ଉଭୟ ରାଜ୍ୟ ସରକାର ଓ ଏଏସଆଇ ମିଳିତ ଭାବେ ବେଆଇନ ନିର୍ମାଣ କାର୍ଯ୍ୟ ପାଇଁ ସମୟ ଗଡ଼େଇଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି । ଏନେଇ କୋର୍ଟ ପକ୍ଷରୁ କୁହାଯାଇଛି, ଏହି ମାମଲାରେ ଏକ୍ସପର୍ଟ ହେଉଛି କେବଳ ଏଏସଆଇ । ଏଏସଆଇ ହିଁ କହିପାରିବ ଚାଲୁ ରହିଥିବା ଖନନ କାର୍ଯ୍ୟ ଦ୍ୱାରା ମନ୍ଦିରର ମୂଳ ଢାଞ୍ଚା ଉପରେ କୌଣସି ପ୍ରଭାବ ପଡ଼ିବ ନା ନାହିଁ । ଏହା ମଧ୍ୟରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ଆଜି ପୁରୀ ଗସ୍ତ କରିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କମିଟି ସଦସ୍ୟ ଶମ୍ଭାଜୀ ଛତ୍ରପତି କହିଛନ୍ତି, ବିନା ଡିପିଆରରେ ଯାହା କାମ ହେଉଛି ଠିକ୍ ହେଉନି । ଏଏସ୍ଆଇ ସହ ସମନ୍ୱୟ ରଖି ରାଜ୍ୟ ସରକାର କାମ କରିବା ଉଚିତ୍ । ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନକୁ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ । ନିର୍ମାଣାଧୀନ କାମ ପାଇଁ ଏଏସ୍ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ । ସୂଚନାଯୋଗ୍ୟ, ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପାଖରେ ୧୦୦ ମିଟର ପରିଧି ଭିତରେ ବଡ଼ ବଡ଼ ଗାତ ଖୋଳି ନିର୍ମାଣ କାର୍ଯ୍ୟ କରୁଛନ୍ତି । ଏହା ବେଆଇନ୍ ଦର୍ଶାଇ ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇଥିଲେ । ଏଏସ୍ଆଇର ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ୧୦୦ ମିଟର ପରିଧି ଭିତରେ ନିର୍ମାଣ କରିବାକୁ କାହାକୁ ଅନୁମତି ଦିଆଯାଇନଥିବା ସ୍ପଷ୍ଟ କରିଥିଲା । ଏହା ପରେ ବିଭିନ୍ନ ସଙ୍ଗଠନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏପରିକି ଏହି କଥା ଦିଲ୍ଲୀ ଦରବାରରେ ବି ପହଞ୍ଚି ତୁମ୍ବି ତୋଫାନ ହୋଇ ସାରିଛି ।