ହାଇକୋର୍ଟରେ ଆଇଜୀବୀମାନେ ବିଚାରପତିଙ୍କୁ ଉପସର୍ଗ ନଲଗାଇ କେବଳ ସାର୍ ବୋଲି କହିପାରିବେ !
କଟକ(ଏନ୍.ଏମ୍.): ଆଇନଜୀବୀମାନେ ହାଇକୋର୍ଟର ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍ ବୋଲି ସମ୍ବୋଧନ ନକରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ବଦଳରେ ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ସାର ବୋଲି ସମ୍ବୋଧନ କରି ପାରିବେ । ନୂଆବର୍ଷ ପରେ ଆଜିଠାରୁ ହାଇକୋର୍ଟ ଖୋଲିଥିବାବେଳେ ପ୍ରକାଶିତ ଚଳିତ ବର୍ଷର ପ୍ରଥମ ସପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏଭଳି ଏହି ଅପିଲ କରାଯାଇଛି । ଏହି ଖଣ୍ଡପୀଠର ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର ଲର୍ଡସିପ୍, ଇୟୋର ଅନର ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହୁଥିବା ପକ୍ଷଙ୍କୁ ଅନୁରୋଧ କରାଯାଇଛି । ଏହାସହିତ ସମ୍ବୋଧନ ପୂର୍ବରୁ ଅନରେବଲ ଉପସର୍ଗ ଯୋଗ ନକରିବାକୁ ଅନୁରୋଧ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଓ ଜଷ୍ଟିସ ଆର. କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ ରହିଛି । ଖଣ୍ଡପୀଠର ଅନ୍ୟମାନେ ଏହାକୁ କିପରି ଗ୍ରହଣ କରୁଛନ୍ତି, ତାହା ଆଗକୁ ଜଣାପଡ଼ିବ । ଏହା ବିଧିବଦ୍ଧ ନିର୍ଦ୍ଦେଶନାମା ନୁହେଁ । ଚଳିତ ବର୍ଷର ପ୍ରଥମ ସପ୍ତାହିକ ମାମଲା ତାଲିକାରେ ଏହା ଉଲ୍ଲେଖ ଅଛି ।