ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି
ନିର୍ମାଣ ହେବ ହେଲିପ୍ୟାଡ, ଲେଜର୍ ଶୋ ସହ ଫୁଟିବ ରଙ୍ଗୀନ ବାଣ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ହକି ଉଦଘାଟନୀ ଉତ୍ସବରେ ଚମକିବ ବାରବାଟୀ ଷ୍ଟାଡିୟମ, ସେଥିପାଇଁ ଅନୁଷ୍ଠିତ ହେବ ଲେଜର୍ ଶୋ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ‘ୁଟିବ ବିଭିନ୍ନ କିସମର ରଙ୍ଗୀନ ବାଣ । କାର୍ଯ୍ୟକ୍ରମରେ ଯୋଗଦେବେ ସେଲିବ୍ରେଟି ଓ ଶତାଧିକ ମାନ୍ୟଗଣ୍ୟ ଅତିଥି । ସେଥିପାଇଁ ସତ୍ୟବ୍ରତ ଷ୍ଟାଡିୟମରେ ନିର୍ମାଣ ହେବ ହେଲିପ୍ୟାଡ୍ । ଏ ସଂପର୍କରେ ଆଜି ଓସିଏ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।
ଆସନ୍ତା ଜାନୁଆରୀ ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦଘାଟନୀ ସମାରୋହକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କଟକ ସହରକୁ ଅଧିକ ସୁନ୍ଦର କରିବା ପାଇଁ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ସହ ହକି ଥିମ୍‌କୁ ଭିତ୍ତି କରି ଚିତ୍ରକଳା ପେଣ୍ଟିଂ ଆରମ୍ଭ ହୋଇଯାଇଛି । ଶାନ୍ତି ଶୃଙ୍ଖଳାର ସହ ଏହି ଉତ୍ସବ ଯେପରି ପାଳନ ହେବ ସେଥିପାଇଁ କ୍ରୀଡା ସଚିବ ଭିନିଲ କ୍ରିଷ୍ଣାଙ୍କ ସମେତ ଡିସିପି ପିନାକ ମିଶ୍ର, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏକାଧିକବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ନିକଟରେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ କରିବା ପାଇଁ ଆଜି ଓସିଏ ସମ୍ମିଳନୀ କକ୍ଷରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାସ୍ତା, ପରିମଳ, ପାନୀୟ ଜଳ ଓ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବଲିଉଡ୍‌୍‌ର ଏକାଧିକ ସେଲିବ୍ରେଟି ଓ ପ୍ରାୟ ୩ ହଜାର ଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ଦୃଢପରିକର ବୋଲି ଆଜିର ବୈଠକରେ ମତ ପ୍ରକାଶ ପାଇଥିଲା । ଭିଆଇପିମାନଙ୍କର ସୁବିଧାଜନକ ଗମନା ଗମନ ପାଇଁ ନିର୍ଦ୍ଦିଷ୍ଟ ରାସ୍ତାର ମରାମତି କାର୍ଯ୍ୟ ୫ ତାରିଖ ପୂର୍ବରୁ ଶେଷ କରିବା ପାଇଁ ପିଡବ୍ଲ୍ୟୁଡି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପାନୀୟ ଜଳ ଯୋଗାଣ ପାଇଁ ଏକାଧିକ ଟ୍ୟାଙ୍କର ପାଣି ବ୍ୟବସ୍ଥା ସହ ଷ୍ଟାଡିୟମ ଭିତରେ ସିନ୍‌ଟେକ୍ସ ଟାଙ୍କି ସ୍ଥାପନ କରିବା ପାଇଁ ୱାଟ୍‌କୋର ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ବନ୍ଦୋବସ୍ତକୁ ଅଧିକ କଡାକଡି କରିବା ଲାଗି ବ୍ୟାରିକେଡ୍ ନିର୍ମାଣ ସହ ପୁଲିସ ବନ୍ଦୋବସ୍ତ କରିବାକୁ ପୁଲିସ ବିଭାଗକୁ କୁହାଯାଇଛି । ଭିତରପଟ ବ୍ୟାରିକେଡ୍ ଓସିଏ ପକ୍ଷରୁ ନିର୍ମାଣ ହେବାକୁ ଥିଲା ବେଳେ ବାହାର ପଟ ବ୍ୟାରିକେଡ୍‌କୁ ପିଡବ୍ଲ୍ୟୁଡି ନିର୍ମାଣ କରିବ ବୋଲି ନିଷ୍ପତି ନିଆଯାଇଛି । ସେହିପରି ଷ୍ଟାଡିୟମ ଭିତରେ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପାଇଁ ଓସିଏକୁ ଦାୟିତ୍ୱ ଦିଆଯାଇଛି । ଷ୍ଟାଡିୟମ ଭିତରେ ଥିବା ସମସ୍ତ ଶୈାଚାଳୟକୁ ସଫା ସୁତୁରା କରିବା ସହ ଏୟାର କଣ୍ଡିସନ୍‌ଗୁଡିକୁ ଆସନ୍ତା ୨୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ଇଭେଣ୍ଟ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ସଂସ୍ଥାକୁ ଷ୍ଟେଜ୍ ଓ ବସିବା ବ୍ୟବସ୍ଥା ଧାର୍ଯ୍ୟ ସମୟରେ ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ଅନୁଷ୍ଠିତ ବୈଠକରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ, ଡିସିପି ପିନାକ ମିଶ୍ର, ଓସିଏ ସଂପାଦକ ସଂଜୟ ବେହେରା, ପିଡବ୍ଲ୍ୟୁଡି ଯନ୍ତ୍ରୀ, ୱାଟକୋର ପରିଚାଳକ, ବିଦ୍ୟୁତ ଓ ପାନୀୟ ଜଳଯୋଗାଣ ଅଧିକାରୀଙ୍କ ସମେତ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାର କର୍ମକର୍ତ୍ତାମାନେ ଉପସ୍ଥିିତ ଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ