ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ: ନଭେମ୍ବର ୭ ଓ ୨୧ତାରିଖରେ ବୁଥରେ ସ୍ୱତନ୍ତ୍ର ଅଭିଯାନ
କଟକ(ଏନ୍.ଏମ୍.): ଜାନୁଆରୀ ୧ତାରିଖକୁ ଯୋଗ୍ୟତା ଭିତ୍ତିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଟକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୧ତାରିଖରେ ପ୍ରକାଶିତ ଚିଠା (ଡ୍ରାଫ୍ଟ) ଭୋଟର ତାଲିକାକୁ ଉପଜିଲ୍ଲାପାଳ ତଥା ଭୋଟ ପଞ୍ଜିକରଣ ଅଧିକାରୀ ମାଗଣାରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସୀକୃତି ପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଭୋଟର ତାଲିକାର କପି ଯୋଗାଇ ଦେବେ । ଅଣସୀକୃତିପ୍ରାପ୍ତ ରାଜନୈତିକ ଦଳ ମାନେ ନିର୍ଦ୍ଧାରିତ ମୂଲ୍ୟ ଦେଇ ଭୋଟର ତାଲିକାର କପି ନେଇ ପାରିବେ । ଉଚିତ ମୂଲ୍ୟ ଦେଇ ଏହାର ସଫ୍ଟ କପି ମଧ୍ୟ ପି.ଡି.ଏଫ ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନେଇପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଭୋଟର ମାନେ ମଧ୍ୟ ଏହାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ ମାଧ୍ୟମରେ ଦେଖିପାରିବେ । ନାଗରିକ ମାନେ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଗ ବା ବାଦ୍ ଦେବା କିମ୍ବା ତ୍ରୁଟି ସଂଶୋଧନ ନିମନ୍ତେ ଦାବି ଓ ଆପତ୍ତି ସମ୍ପୃକ୍ତ ଭୋଟ ପଞ୍ଜିକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଜଣାଇ ପାରିବେ । ଏତଦ୍ ବ୍ୟତୀତ, ନାଗରିକ ମାନେ ମଧ୍ୟ ବୁଥସ୍ତରରେ ନିଯୁକ୍ତ ହୋଇଥିବା ବୁଥସ୍ତରୀୟ ଅଧିକାରୀ ସାଧାରଣତଃ ଶିକ୍ଷକ କିମ୍ବା ଅଙ୍ଗନୱାଡି କର୍ମୀମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାବି ଓ ଆପତ୍ତି ସମ୍ପର୍କରେ ନଭେମ୍ବର ୩୦ ତାରିଖ ମଧ୍ୟରେ ଜଣାଇ ପାରିବେ । ଏହାଛଡା ଭାରତ ନିର୍ବାଚନ ଆୟୋଗ ଅନଲାଇନ୍ ମାଧ୍ୟମରେ ଏକ ନାଗରିକ ଅନୁକୂଳ ଆପ୍ ଭୋଟର ହେଲ୍ପଲାଇନ ଓ ଏନଭିଏସବି(ଡଟ୍)ଇନ ଆପ ପ୍ରଚଳନ କରିଛନ୍ତି । ଏହି ଆପ୍ ଆଣ୍ଡ୍ରୋଏଡ ଫୋନର ପ୍ଲେ ଷ୍ଟୋରରୁ ଡାଉନଲୋଡ କରି ପାରିବେ ବୋଲି କୁହାଯାଇଛି । ଭୋଟର ତାଲିକାରେ ନୂତନ ଭାବେ ନାମ ପଞ୍ଜିକରଣ ନିମନ୍ତେ ଫର୍ମ ନଂ-୬, ଭୋଟର ତାଲିକାରୁ ନାମ ବାଦ୍ ଦେବା ନିମନ୍ତେ ଫର୍ମ ନମ୍ବର ୭ ଓ ଭୋଟର ତାଲିକାରେ ନାମ, ଠିକଣା ଓ ବୟସ ଇତ୍ୟାଦିରେ ତ୍ରୁଟି ଥିଲେ ଫର୍ମ ନମ୍ବର ୮ରେ ଆବେଦନ କରିପାରିବେ ବୋଲି ବୈଠକରେ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଏକ ସ୍ଥାନ ପରିବର୍ତ୍ତନ କରିବାକୁ ହେଲେ ଫର୍ମ ନମ୍ବର ୮(କ) ରେ ଆବେଦନ କରିବାକୁ ହେବ । ନିର୍ଦ୍ଧାରିତ ଆପ୍ ଡାଉନଲୋଡ କରିବା ପରେ, ଫର୍ମ ପୂରଣ କରିବାକୁ ହେବ ଓ ସଠିକ ବାସସ୍ଥାନ ଠିକଣା ନିମନ୍ତେ ବିଦ୍ୟୁତ ବିଲ/ଟେଲିଫୋନ ବିଲ/ଜମିଜମା ଦସ୍ତାବିଜର ସ୍କାନ କପି ଅପଲୋଡ କରିବାକୁ ହେବ । ସେହିପରି ଜନ୍ମ ତାରିଖ ପ୍ରମାଣିତ କରିବା ନିମନ୍ତେ ଜନ୍ମ ପ୍ରମାଣ ପତ୍ର/ପାସପୋର୍ଟ/ ପ୍ୟାନକାର୍ଡ/ମାଟ୍ରିକ ସାର୍ଟିଫିକେଟ/ ଡ୍ରାଇଭିଙ୍ଗ ଲାଇସେନ୍ସର ସ୍କାନ କପି ସହ ପାସପୋର୍ଟ ସାଇଜ ଫଟୋ ଅପଲୋଡ କରିବାକୁ ହେବ । ଏଥିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ନାଗରିକ ନିଜେ ନିଜର ଫର୍ମ ପୂରଣ କରୁଥିବାରୁ ତ୍ରୁଟି ଶୂନ୍ୟ ଭୋଟର ତାଲିକା ବା ଫଟୋ ପରିଚୟ ପତ୍ର ହୋଇପାରିବ । ଉଭୟ ଇଂରାଜୀ ଓ ଓଡିଆରେ ନିଜର ନାମ, ଠିକଣା ଓ ବୟସ ଇତ୍ୟାଦି ଭୋଟର ପରିଚୟ ପତ୍ର ଓ ଭୋଟର ତାଲିକାରେ ତ୍ରୁଟି ଶୂନ୍ୟ ହୋଇପାରିବ ।