ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର


ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର । ଦୁର୍ନୀତିକୁ ଆଦୌ ପ୍ରଶୟ ଦେଉନଥିବା ନବୀନ ସରକାର ପୁଣି ବିଭିନ୍ନ ବିଭାଗରେ ନିଯୁକ୍ତଥିବା୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତି ଓ ଅପାରଗତା ପାଇଁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସରଳା ଦେଇ, ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡ଼ି ସୁପରଭାଇଜର ପ୍ରତିମା ସାହୁ, ଅନୁଗୋଳ ପୁଲିସ ଟ୍ରେନିଂ କଲେଜର ଇନ୍ସପେକ୍ଟର ରାମଚନ୍ଦ୍ର ବେହେରା, ମୟୂରଭଞ୍ଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ ଓ କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟର ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସିଡିପିଓ ସରଳା ଦେଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ସେ ଧରା ପଡ଼ିଥିଲେ । ତାଙ୍କର ଭୁବନେଶ୍ୱରରେ ୫ଟି ପ୍ଲଟ, ପିପିଲିରେ ଗୋଟିଏ ପ୍ଲଟ ଓ ଜଗତସିଂହପୁରରେ ୨ଟି ପ୍ଲଟ ରହିଛି । ତା’ ସହିତ ଜଗତସିଂପୁରରେ ଗୋଟିଏ ଦୁଇ ମହଲା କୋଠା ଅଛି । ତାଙ୍କ ଠାରୁ ଟଙ୍କା ଓ ସୁନାଗହଣା ବି ଜବତ କରାଯାଇଛି । ପୁନଶ୍ଚ ଅଙ୍ଗନବାଡ଼ି ସୁପରଭାଇଜର ପ୍ରତିମା ସାହୁ ଲାଞ୍ଚ ଗ୍ରହଣ କରୁଥିବାବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡ଼ିଥିଲେ । ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଏଥିସହିତ ଅନୁଗୋଳ ପୁଲିସ ଟ୍ରେନିଂ କଲେଜର ପୁଲିସ ଇନ୍ସପେକ୍ଟର ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତେବେ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨.୮୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟରୁ ନଗଦ ୪୧.୭୭ ଲକ୍ଷ ଟଙ୍କା ତାଙ୍କ ଘରୁ ଜବତ କରାଯାଇଥିଲା । ତାଙ୍କର ଭୁବନେଶ୍ୱରର ବରଗଡ଼ରେ ୨ମହଲା ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍ ଓ କଳିଙ୍ଗ ବିହାରରେ ଏକ ଅର୍ଦ୍ଧନିର୍ମିତ କୋଠା ରହିଛି । ଏହା ସହିତ ବାଲେଶ୍ୱରରେ ତାଙ୍କର ୩ଟି ପ୍ଲଟ୍ ମଧ୍ୟ ରହିଛି । ଅପାରଗତା, ଅସାଧୁ ଉପାୟ ଅବଲମ୍ବନ କରିବା ଓ ଆର୍ôଥକ ଅନିୟମିତତାରେ ସଂପୃକ୍ତି ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିଭଳି କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ ଜମିଜମା ମାପଚୁପ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡ଼ିଥିଲେ । ଅସାଧୁ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସୂଚନାଯୋଗ୍ୟ, ଦୁର୍ନୀତି ଓ ଅପରାଗତା ଯୋଗୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୧୪୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବା ନିମନ୍ତେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି