ସୋମପୁର ପୋଲ ନିର୍ମାଣ ଅସ୍ଥାୟୀ ରାସ୍ତାକୁ ନେଇ ଅସନ୍ତୋଷ
କଟକ ସଦର (ଏନ୍.ଏମ୍.): ଅସ୍ଥାୟୀ ରାସ୍ତା କାର୍ଯ୍ୟ ନିମ୍ନମାନ ହୋଇଥିବା ଅଭିଯୋଗ ଉଠିଛି । ଏପରିକି ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡ଼ୁଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଦୁଇ ଦିନ ମଧ୍ୟରେ ରାସ୍ତାର ସୁଦ୍ଧାର ନଆସିଲେ ପୋଲ କାର୍ଯ୍ୟ ବନ୍ଦ କରିଦେବା ପାଇଁ ପୂର୍ବତନ ସରପଞ୍ଚ ଓ ଅଞ୍ଚଳବାସୀଙ୍କ ଚେତାବନୀ ଦେଇଛନ୍ତି । ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା, ପ୍ରିୟ ପ୍ରୀତି ଯୋଗୁ ସାଧାରଣ ଲୋକେ ନାହିଁ ନଥିବା ହିନସ୍ତା ହେଉଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭାବନୀୟ ଘଟଣା କଟକ ସଦର ବ୍ଲକ ସୋମପୁର ପଞ୍ଚାୟତ ନିକଟସ୍ଥ ଶୁକପାଇକା ଉପରେ ଦେଖିବାକୁ ମିଳିଛି । ପୁରୁଣା ପୋଲକୁ ଭାଙ୍ଗି ଦେଇ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ସୋମପୁର କିଶୋରନଗରକୁ ସଂଯୋଗ କରୁଥିବା ଏହି ପୋଲ ନିମ୍ନ ମାନର ହୋଇ ଥିବାରୁ ଏହି ରାସ୍ତା ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ସତ୍ତ୍ୱେ କେହି ଦୃଷ୍ଟି ନଦେବାରୁ ଅଞ୍ଚଳରେ ଉତ୍ତେଜନା କୁହୁଳୁଥିବା ଦେଖିବାକୁ ମିଳିଛି । ଯଦି ଆସନ୍ତା ୨ଦିନ ଭିତରେ ଅସ୍ଥାୟୀ ରାସ୍ତା ମରାମତି କରାନଯାଏ ତେବେ ଅଞ୍ଚଳବାସୀଙ୍କ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୋମପୁର ପଞ୍ଚାୟତ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ରୂପକ ସ୍ୱାଇଁ ଚେତାବନୀ ଦେଇଛନ୍ତି ।