ସୁରତରୁ ୭ ଲକ୍ଷ ଟଙ୍କା ଲୁଟି ଫେରୁଥିଲେ ଓଡ଼ିଶା, ଟ୍ରେନରୁ ଧରାପଡ଼ି ଜେଲଗଲେ ଲୁଟେରା
ବ୍ରହ୍ମପୁର(ଏନ୍.ଏମ୍.): ସୁରତରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା, ମୋବାଇଲ ଲୁଟି ଓଡ଼ିଶା ଆସୁଥିବାବେଳେ ଟ୍ରେନରୁ ୭ଜଣ ଲୁଟେରା ଧରାପଡ଼ିଛନ୍ତି । ଅପରାଧ ଘଟାଇବା ପରେ ସୁରତ ପୁଲିସ ସେମାନଙ୍କୁ ଗିରଫ କରିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ସୁରତ ଅମରୋଲିର ହରିଶ ଗୋଣ୍ଡାଲିଆ ନାମକ ବ୍ୟବସାୟୀ ସାଢେ ୭ ଲକ୍ଷ ଓ ୩ଟି ମୋବାଇଲ ଧରି ଦୋକାନରୁ ଘରକୁ ଆସୁଥିଲେ । ତେବେ ଘରକୁ ଯିବା ବାଟରେ ଏକ ରେଲୱେ ଲେବଲ କ୍ରସିଂ ନିକଟରେ ଅଚାନକ ବାଇକରେ ପ୍ରାୟ ୮ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ ଓ ମୋବାଇଲକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ । ହରିଶ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲାର ଖୋଲତାଡ୍ ଆରମ୍ଭ କରିଥିଲା । ତେବେ ଏହି ୮ଜଣ ଲୁଟେରାଙ୍କ ମଧ୍ୟରୁ ୭ ଜଣ ଓଡ଼ିଶାର ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଲା । ମୋବାଇଲ ସର୍ଭିଲାନ୍ସ ଜରିଆରେ ସେମାନେ ତାପ୍ତି ଗଙ୍ଗା ଟ୍ରେନରେ ବସି ଗଞ୍ଜାମ ଅଭିମୁଖେ ଯାଉଥିବା ଜଣାପଡିଥିଲା । ଏହାପରେ ରେଲୱେ ପୁଲିସ୍ ସହ ଯୋଗାଯୋଗ କରି ରାୟପୁର ଷ୍ଟେସନ ଠାରେ ସେମାନଙ୍କୁ କାବୁ କରାଯାଇଥିଲା । ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଏହି ଘଟଣାରେ ୮ ଅଭିଯୁକ୍ତ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ଓଡ଼ିଶାର ୭ ଜଣ ସୁରତରୁ ଟ୍ରେନରେ ବସି ପୁରୀ ଏକ୍ସପ୍ରେସରେ ଓଡ଼ିଶା ଯାଉଥିଲେ । ସୁରତ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ରେଲୱେ ପୁଲିସ୍ ଓ ରେଲୱେ ପ୍ରୋଟେକ୍ସନ ଫୋର୍ସ ସହ ଯୋଗାଯୋଗ କରାଯାଇଥିଲା । ଛତିଶଗଡ଼ ଷ୍ଟେସନରେ ସେମାନଙ୍କୁ ରେଲୱେ ପୁଲିସ୍ କାବୁ କରିଥିଲା । ଲୁଟ୍ ସାଢେ ୭ ଲକ୍ଷ ଟଙ୍କାରୁ ଲକ୍ଷେ ୨୫ ହଜାର ଟଙ୍କା ଜବତ ହୋଇଥିବା ବେଳେ ପୁଲିସର ତଦନ୍ତ ଜାରି ରହିଛି ।