ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଡ୍ରୋନ ଉଡାଇବା ଉପରେ ପ୍ରତିବନ୍ଧକ
ନୂଆଦିଲ୍ଲୀ(ଏଜେନ୍ସି): ସୁରକ୍ଷା ଦୃଷ୍ଟିରୁ ଡ୍ରୋନ ଉଡାଇବା ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଏକଦା ଯେଉଁ ଡ୍ରୋନ ବିଭିନ୍ନ କାର୍ଯ୍ୟକୁ ସହଜ ଓ ସରଳ କରିବାକୁ ବ୍ୟବହାର ହେଉଥିଲା, ସେହି ଡ୍ରୋନ ସହାୟତାରେ ଧ୍ୱଂସର ତାଣ୍ଡବ ସୃଷ୍ଟି କରାଯାଉଛି । ତେଣୁ ଏହି ଡ୍ରୋନକୁ ବ୍ୟାନ କରାଯାଇଥିବା ଜଣାପଡ଼ିଛି । ତେବେ ଜମ୍ମୁର ଶ୍ରୀନଗରରେ ଡ୍ରୋନ ଓ ଉଡୁଥିବା ଅନ୍ୟବସ୍ତୁ ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ନିକଟରେ ଜାମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଡ୍ରୋନ ହମଲା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀନଗରରେ ଉଡୁଥିବା ବସ୍ତୁ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ନିର୍ଦ୍ଦେଶାନୁଯାୟୀ, କୌଣସି ପ୍ରକାର ଡ୍ରୋନ କିମ୍ବା ଉଡୁଥବା ଅନ୍ୟବସ୍ତୁ ଉପରେ ପ୍ରତିବନ୍ଧକ ରହିବ । ଯାହା ପାଖରେ ଏସବୁ ଡିଭାଇସ ରହିଛି ସେଗୁଡ଼ିକୁ ତୁରନ୍ତ ନିକଟସ୍ଥ ଥାନାରେ ଜମା କରିବା ପାଇଁ ସେଠାରେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀନଗର ଜିଲ୍ଲା ଅଧିକାରୀ ମହମ୍ମଦ ଏଜାଜ ନିଜ ଆଦେଶରେ କହିଛନ୍ତି ଯେ ଏସଏସପିଙ୍କ ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଡ୍ରୋନ ରଖିବା, ବିକ୍ରି କରିବା, ଜମା କରିବା, ବ୍ୟବହାର କରିବା କିମ୍ବା ଟ୍ରାନ୍ସପୋର୍ଟ କରିବା ନିଷେଦ୍ଧ । ତେଣୁ ଏହି ନିର୍ଦ୍ଦେଶକୁ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ । ସେହିଭଳି ଯେଉଁ ସରକାରୀ ବିଭାଗ ଡ୍ରୋନ ବ୍ୟବହାର କରୁଛନ୍ତି, ସେମାନଙ୍କୁ ବ୍ୟବହାର ପୂର୍ବରୁ ସ୍ଥାନୀୟ ଥାନାରେ ସୂଚନା ଦେବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।