ସୁପ୍ରିମକୋର୍ଟରେ ଏନସିପିସିଆର ସତ୍ୟପାଠ : କରୋନାରେ ଅନାଥ ହୋଇଛନ୍ତି ୯୩୦୦ ଶିଶୁ
ନୂଆଦିଲ୍ଲୀ (ଏଜେନ୍ସି): କରୋନା ମହାମାରୀ ସମୟରେ ଦେଶରେ ୯୩୦୦ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇଥିବା ଜଣାପଡ଼ିଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ଏ ନେଇ ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ତେବେ ଏହି ଅନାଥ ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ୬-ସୂତ୍ରୀ ଯୋଜନା କରାଯାଇଛି ବୋଲି ଆୟୋଗଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି । ପ୍ରଦତ୍ତ ସତ୍ୟପାଠ ଅନୁଯାୟୀ, ନୂତନ ଭାବେ ପ୍ରସ୍ତୁତ ହୋଇଥିବା ବାଲ୍ ସ୍ୱରାଜ ପୋର୍ଟାଲରେ ୯୩୪୬ କ୍ଷତିଗ୍ରସ୍ତ ଶିଶୁଙ୍କ ତଥ୍ୟ ଅପଲୋଡ୍ କରାଯାଇଛି । ଏହି ଶିଶୁମାନଙ୍କ ମଧ୍ୟରୁ ୧୭୪୨ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇଥିବାବେଳେ ୭୪୬୪ ଜଣ କେବଳ ମା’ କିମ୍ବା କେବଳ ବାପାଙ୍କୁ ହରାଇଛନ୍ତି । ୧୪୦ ଶିଶୁ ମହାମାରୀ ସମୟରେ ନିଖୋଜ ହୋଇ ଯାଇଛନ୍ତି ବୋଲି ଉଲ୍ଲେଖ ରହିଛି । ଗତ ୨୦୨୦ ମାର୍ଚ୍ଚ ମାସରୁ ୨୦୨୧ ମେ ମାସ ୨୯ ସୁଦ୍ଧା ଏହି ତଥ୍ୟ ସଂଗ୍ରହ କରାଯାଇଛି । ୯୩୪୬ ଶିଶୁଙ୍କ ମଧ୍ୟରୁ ୧୨୨୪ ଜଣ ନିଜର ଅନ୍ୟ ଅଭିଭାବକଙ୍କ ପାଖରେ ରହୁଛନ୍ତି । ୯୮୫ ଜଣ ଅନ୍ୟ କିଛି ଅଭିଭାବକଙ୍କ ଅଧୀନରେ ରହିଛନ୍ତି । ୩୧ ପିଲାଙ୍କୁ ସ୍ୱତନ୍ତ୍ର ପୋଷ୍ୟ ସଂସ୍ଥାକୁ ପଠାଯାଇଛି । ସତ୍ୟପାଠ ଅନୁସାରେ, ଉଭୟ ଅଭିଭାବକଙ୍କୁ ହରାଇଥିବା କିମ୍ବା ନିଖୋଜ ହୋଇଯାଇଥିବା ସର୍ବାଧିକ ଶିଶୁ ମଧ୍ୟପ୍ରଦେଶର ବୋଲି ଉଲ୍ଲେଖ ରହିଛି । ଏହି ରାଜ୍ୟରେ ୩୧୮ ଶିଶୁ ଅନାଥ ହୋଇଯାଇଥିବାବେଳେ ୧୦୮ ଜଣ ନିଖୋଜ ହୋଇଯାଇଛି । ଉତ୍ତରପ୍ରଦେଶରେ ସର୍ବାଧିକ ୧୮୩୦ ଶିଶୁ ରହିଛନ୍ତି ଯେଉଁମାନେ ସେମାନଙ୍କର ମା’ କିମ୍ବା ବାପାଙ୍କୁ ହରାଇଛନ୍ତି । ଶିଶୁମାନଙ୍କ ମଧ୍ୟରେ ୪ରୁ ୭ ବର୍ଷ ବୟସ ମଧ୍ୟରେ ୧୫୧୫ ଜଣ ରହିଛନ୍ତି । ସେହିପରି ୮ରୁ ୧୩ ବର୍ଷ ମଧ୍ୟରେ ୩୭୧୧ ଜଣ, ୧୪ରୁ ୧୫ ବର୍ଷ ମଧ୍ୟରେ ୧୬୨୦ ଏବଂ ୧୬ରୁ ୧୭ ବର୍ଷ ମଧ୍ୟରେ ୧୭୧୨ ଜଣ ରହିଥିବା ସତ୍ୟପାଠରେ ଦର୍ଶାଯାଇଛି ।