ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍
#କଟକ(ଏନ୍.ଏମ୍.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ଅଦାଲତ ଅବମାନନା ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ପାରାଦୀପ ମଡେଲ ଥାନା ଆଇଆଇସି ଓ ଜଗତସିଂହପୁର ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଓମ୍ ପ୍ରକାଶ ଜୟସୱାଲ ବନାମ ବି.କେ.ମିତଲ ଏବଂ ସିବିଆଇ ମାମଲାରେ ରହିଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଜାଣିଶୁଣି ଉଲ୍ଲଂଘନ କରିଥିବାରୁ କହିଁକି ସେମାନଙ୍କୁ ଦଣ୍ଡିତ କରା ନଯିବ ସେ ନେଇ କାରଣ ଦର୍ଶାଇବାକୁ କୁହାଯାଇଛି । ଆବେଦନକାରୀ ବିଜୟ କୁମାର ଦାସଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଉକ୍ତ ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବଂଶୀଧର ବାଗ ଓ ପ୍ରଶାନ୍ତ କିଶୋର ରାୟ ମାମଲା ପରିଚାଳନା କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ କରି ବେଆଇନ ଭାବେ ତିନି ଜଣଙ୍କୁ ଏକ ମାମଲାରେ ଗିରଫ କରାଯିବା ଘଟଣାକୁ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା । ମାମଲାରେ ଗିରଫଦାରୀ ପୂର୍ବରୁ ସିଆରପିସିର ଧାରା ୪୧(କ)ରେ ଥିବା ବ୍ୟବସ୍ଥା ଅନୁସାରେ ଅଭିଯୁକ୍ତମାନଙ୍କୁ ଠିକ୍ ଭାବେ ନୋଟିସ୍ ଦିଆଯାଇ ନଥିଲା ବୋଲି ଅଦାଲତ ଅବମାନନା ମାମଲାରେ ଦର୍ଶାଯାଇଛି ।