ସିଡିଏର ୧୩୩ ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଖୁବ୍ ଶୀଘ୍ର ‘ଐତିହ୍ୟ ଗ୍ରାମ’

ସିଡିଏର ୧୩୩ ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଖୁବ୍ ଶୀଘ୍ର ‘ଐତିହ୍ୟ ଗ୍ରାମ’

ସିଡିଏର ୧୩୩ ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଖୁବ୍ ଶୀଘ୍ର ‘ଐତିହ୍ୟ ଗ୍ରାମ’

News by Smruti Ranjan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ଆଜି ପୂର୍ବାହ୍ନରେ ସିଡିଏ ସମ୍ମିଳନୀ କକ୍ଷରେ କର୍ତ୍ତୃପକ୍ଷର ୧୩୩ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଅନୀଲ କୁମାର ସାମଲ ପୌରୋହିତ୍ୟ କରିଥିଲେ । ବୈଠକରେ କଟକ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଥିଲା ।
ବିଶେଷକରି ହଜାର ବର୍ଷର କଟକ ସହରର କେତେକ ସ୍ଥାନରେ ‘ଐତିହ୍ୟ ଗ୍ରାମ’ ସ୍ଥାପନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ପୁରୁଣା ଜେଲ ପରିସରରେ ହେବାକୁ ଥିବା ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା କରାଯାଇ ପ୍ରସ୍ତୁତ ନକ୍ସା ମଞ୍ଜୁର କରାଯାଇଥିଲା । ଏତଦ୍ ବ୍ୟତୀତ ଜଗତପୁର ଟ୍ରକ ଟର୍ମିନାଲର ଉନ୍ନତିକରଣ ସହ ସେଠାରେ ସାଧାରଣ ଲୋକଙ୍କ ମନୋରଞ୍ଜନ ପାଇଁ କିଛି ଅଂଶର ଉନ୍ନତିକରଣ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ସେହିପରି ଖାନନଗର ନିକଟରେ ଚାଲିଥିବା କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିସଟି) ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଏହାକୁ ଚାଲୁ କରାଯିବା ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବା ସଂପର୍କରେ ନିଷ୍ପତି ହୋଇଛି । ପୁନଶ୍ଚ ନହରଣପୁର ଠାରେ ନିମ୍ନ ଆୟକାରୀ ବର୍ଗ ଓ ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ନିର୍ମାଣ ଆବାସର ଆବଣ୍ଟନ ପ୍ରକ୍ରିୟାର ତଥ୍ୟ ପୁସ୍ତିକା ପ୍ରକାଶନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ପୂର୍ବ ବୈଠକରେ ନିଆଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଯଥା, ‘ସିଟିଜେନ୍ ସେଣ୍ଟ୍ରିକ୍ ସର୍ଭିସ’, ରାଜସ୍ୱ ବୃଦ୍ଧି ସକାଶେ ମିଶନଶକ୍ତି ମହିଳାଙ୍କ ନିୟୋଜନ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ପ୍ରକାଶ ଥାଉକି, ସଂସ୍ଥା ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ପାଇଁ ‘ସିଟିଜେନ୍ ସେଣ୍ଟ୍ରିକ୍ ସର୍ଭିସ’ ବ୍ୟବସ୍ଥା କରାଯିବା ସହ ସେଥିସକାଶେ ଏକ ଆପ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଯାହାଫଳରେ ଜନସାଧାରଣ ସେମାନଙ୍କର ଦେୟ, ଅଭିଯୋଗ ଓ ସୂଚନା ଅଧିକାର ସଂପର୍କିତ ତଥ୍ୟ ସହଜରେ ପାଇପାରିବେ । ଅନୁଷ୍ଠିତ ବୈଠକରେ ଶ୍ରୀ ସାମଲଙ୍କ ସମେତ ସିଏମସି ମେୟର ସୁବାସ ସିଂହ, କମିଶନର ନିଖିଲ ପୱନ କଲ୍ୟାଣ, ସିଡିଏ ସଚିବ, ଫାଇନାନ୍ସ ସଦସ୍ୟ, ପ୍ଲାନିଂ ସଦସ୍ୟ, ଇଂଜିନିୟରିଂ ସଦସ୍ୟ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ