ସିଟି ହସ୍ପିଟାଲ, ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଢ଼ୁଛି ଦୁର୍ନୀତି
କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆମ୍ବେଦକର ସ୍ମୃତି ପରିଷଦର ଦାବିପତ୍ର

#କଟକ(ଏନ୍.ଏମ୍.): ସମ୍ପ୍ରତି କଟକରେ ବିଭିନ୍ନ ସରକାରୀ ତଥା ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟରେ ବହୁବିଧ ସମସ୍ୟା ଦେଖାଦେବା ସହ ଜନସାଧାରଣ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରିକି କଟକ ସିଟି ହସ୍ପିଟାଲ, ସିଡିଏମଓ କାର୍ଯ୍ୟାଳୟରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଭିଯୋଗ ହେବା ସହ ଏହାର ଆଶୁ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରଦତ୍ତ ଦାବିପତ୍ର ଅନୁଯାୟୀ ମୂଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସି.ଡି.ଏମ୍.ଓ)ଙ୍କ କାର୍ଯର୍୍ୟାଳୟରେ ସରକାରୀ ନିୟମକୁ ଫୁ-କରି ଗୋଟିଏ ସ୍ଥାନରେ ଗୋଟିଏ ପଦବୀରେ ଜଣେ ବ୍ୟକ୍ତି ଦୀର୍ଘ ୧୧ ବର୍ଷ ଧରି ଅବସ୍ଥାପିତ ହେବା ଦ୍ୱାରା ଅନେକ ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ନିଜର ମୌଳିକ କାର୍ଯ୍ୟକୁ ପଛରେ ପକାଇ ବିଭିନ୍ନ କ୍ଷେତ୍ରରୁ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିବାରେ ବ୍ୟସ୍ତ ରହୁଛନ୍ତି । ତେଣୁ ତାଙ୍କୁ ତୁରନ୍ତ ବଦଳି କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବା ସି.ଟି ହସ୍ପିଟାଲର ଅବସ୍ଥା ନକହିବା ଭଲ । ସେଠାରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ କିଛି ଡାକ୍ତର, କର୍ମଚାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଚାଲିଥିବା ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି ଲାଞ୍ଚ ନଦେଲେ ରେଫରାଲ ନିମନ୍ତେ ରୋଗୀଙ୍କୁ ବାରମ୍ବାର ଦୌଡି ଦୌଡି ନିରାଶ ହେବାକୁ ପଡ଼ୁଛି । କେବଳ ସେତିକି ନୁହେଁ ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡି.ଡବ୍ଲୁ.ଓ ବା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦପ୍ତରରେ ମଧ୍ୟ ଦୁର୍ନୀତିର ଚେର ମାଡ଼ି ଚାଲିଛି । ସେଠାରେ ଅଧିକାରୀ ଥିଲେ ମଧ୍ୟ ଅବସ୍ଥିତ କିଛି ଅସାଧୁ କର୍ମଚାରୀଙ୍କ ଭିନ୍ନ ଉଦେଶ୍ୟ ଯୋଗୁଁ ତଫସିଲଭୁକ୍ତ ଜାତି/ଜନଜାତିଙ୍କୁ ସଠିକ ସମୟରେ ନିର୍ଯାତିତ ପିଡିତ/ ପିଡିତାଙ୍କୁ ସରକାରଙ୍କ ସହାୟତା ରାଶି ମିଳୁନଥିବାବେଳେ ସହରକାରୀ ସହାୟତା ପାଇଁ ହିତାଧିକାରୀ ବର୍ଷ ବର୍ଷ ଧରି ଦୌଡ଼ିବାକୁ ପଡ଼ୁଛି । ଗୋଟିଏ ପଟେ ରାଜ୍ୟସରକାର ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଫାଇପ-ଟିର ନାରା ଦେଉଥିବାବେଳେ ଏସବୁ କାର୍ଯ୍ୟାଳୟରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏ ଦିଗରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ଆମ୍ବେଦକର ସ୍ମୃତି ପରିଷଦ ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ରବିନ୍ଦ୍ର କୁମାର ବେହେରା, ଅନିମା ନାୟକ, ଜୁନେର୍ଦ୍ଧ ଖାନ୍, ସୁଦର୍ଶନ ନାୟକ, ରବିନ୍ଦ୍ର ସେଠୀ, ସୁକାନ୍ତି ପରିଡା, ସସ୍ମିତା ପରିଡା, ଅଜୟ କୁମାର ନାୟକ, ସୁକାନ୍ତ ସାହୁ, ସୁଦର୍ଶନ ନାୟକ ପ୍ରମୁଖ ଯୋଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।