ସିଏମ୍ସି କାଉନସିଲରେ ବଜେଟ ଆଲୋଚନା: ୬୦୫ କୋଟି ଅନୁମୋଦନ

#କଟକ (ଏନ୍.ଏମ୍.): ସିଏମସିର ୨୦୨୩-୨୪ ବର୍ଷ ପାଇଁ ବଜେଟ ଅନୁମୋଦନ ହୋଇଛି । ଚଳିତ ବର୍ଷ ପାଇଁ ମୋଟ ୬୦୫ କୋଟିର ବଜେଟ୍ ପାଇଁ ନିଷ୍ପତ୍ତି ହୋଇଛି । ଆଜି ଏ ନେଇ ଆୟୋଜିତ କାଉନସିଲ ବୈଠକରେ ଏହି ବଜେଟ୍କୁ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ । ସିଏମ୍ସିର ଚିଠା ବଜେଟ୍ ପ୍ରସ୍ତାବରେ ଯେଉଁ ଆୟ ବ୍ୟୟ ଅଟ୍ଟକଳ ରଖାଯାଇଥିଲା ସେଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଚିଠା ବଜେଟ୍ରେ ସମ୍ଭାବ୍ୟ ଆୟ ୫୮୭ କୋଟି ଦର୍ଶାଯାଇଥିଲାବେଳେ ଏହାକୁ ପରିବର୍ତ୍ତନ କରାଯାଇ ପୂର୍ଣ୍ଣାଙ୍ଗ ବଜେଟ୍ରେ ସମ୍ଭାବ୍ୟ ଆୟ ୬୦୫ କୋଟି ଦର୍ଶାଯାଇଛି । ସେହିପରି ଚିଠା ବଜେଟ୍ରେ ସମ୍ଭାବ୍ୟ ବ୍ୟୟ ୫୮୬ କୋଟି ଦର୍ଶାଯାଇଥିଲା ବେଳେ ଏହାକୁ ବଢ଼ାଯାଇ ୬୦୨ କୋଟି ଟଙ୍କା କରାଯାଇଛି । ୩ କୋଟିର ବଳକା ବଜେଟ୍ ଭାବେ ଦର୍ଶାଯାଇଛି । ସ୍ୱତନ୍ତ୍ର ପ୍ରକଳ୍ପ ବାବଦକୁ ଚିଠା ବଜେଟ୍ ଠାରୁ ଆହୁରି ୧୫ କୋଟି ବଢ଼ାଯାଇଛି ।
ଆଜି ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାଉନସିଲ ବୈଠକରେ ପ୍ରାରମ୍ଭରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯାଇଥିଲା । ବିତ୍ତ ଅଧିକାରୀ ସତୀଶ କୁମାର ମିଶ୍ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ । ପୂର୍ଣ୍ଣାଙ୍ଗ ବଜେଟ୍ରେ ମେୟର ଏବଂ କର୍ପୋରେଟରଙ୍କ ନୂତନ ପ୍ରସ୍ତାବକୁ ସନ୍ନିହିତ କରାଯାଇଥିଲା । ଫଳରେ ସମ୍ଭାବ୍ୟ ଆୟ ଏବଂ ବ୍ୟୟ ବୃଦ୍ଧି ହୋଇଛି । ଆୟ କ୍ଷେତ୍ରର ସିଏମସି ନିଜସ୍ୱ ଟିକସ ରାଜସ୍ୱରୁ ୪୮.୬ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ଅକ୍ଟ୍ରାଇ ଟିକସ ବାବଦକୁ ୯୦ କୋଟି ଟଙ୍କା, ୟୁଜର୍ସ ଚାର୍ଜେସ ବାବଦକୁ ୩ କୋଟି ୧୮ ଲକ୍ଷ ଟଙ୍କା, ସିଏମସି ସମ୍ପତ୍ତିର ରେଣ୍ଟାଲ ଇନକମ ବାବଦରୁ ୩ କୋଟି ୬୭ ଲକ୍ଷ, ଦେୟ ଓ ଜୋରିମାନା ବାବଦରୁ ୬ କୋଟି ୬୪ ଲକ୍ଷ ଓ ଅନ୍ୟାନ୍ୟ ଉତ୍ସରୁ ୯.୩୪ କୋଟି, ଅନୁଦାନ, ଋଣ ପ୍ରଭୃତିରୁ ୪୪୩.୬ କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖାଯାଇଛି । ସେହିପରି ବ୍ୟୟ କ୍ଷେତ୍ରରେ ସାଧାରଣ ପ୍ରଶାସନିକ ପରିଚାଳନା ପାଇଁ ୧୨୩ କୋଟି ୭୦ ଲକ୍ଷ, ସ୍ୱାସ୍ଥ୍ୟ ପରିମଳ ଓ ମେଡିକାଲ ପାଇଁ ୭୫ କୋଟି ୯୪ ଲକ୍ଷ, ଜନସାଧାରଣଙ୍କ ସୁବିଧା ନିମନ୍ତେ ୩ କୋଟି ୪୫ ଲକ୍ଷ, ଅନ୍ୟାନ୍ୟ କ୍ଷେତ୍ର ପାଇଁ ୭ କୋଟି ୬ ଲକ୍ଷ, ଋଣ ବାବଦକୁ ୮ କୋଟି ୮୫ ଲକ୍ଷ, ସରକାରୀ ଅନୁଦାନ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ପାଇଁ ୨୬୫ କୋଟି ଏବଂ ଅସମ୍ପୂର୍ଣ୍ଣ ଏବଂ ନୂତନ ପ୍ରକଳ୍ପ ପାଇଁ ୧୧୮ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ସଫେଇ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜୈବ ଖତ କେନ୍ଦ୍ର (ଏମ୍ସିସି), ସ୍ୱଚ୍ଛ ଭାରତ ମିଶନ୍ରେ ଶୌଚାଳୟ ନିର୍ମାଣ, ଜଳାଶୟ ପୁନରୁଦ୍ଧାର, ଅଦରକାରୀ ବର୍ଜ୍ୟବସ୍ତୁ ପୁନଃଚକ୍ରଣ କାରଖାନା, ଆଧୁନିକଧରଣର ସ୍ଲଟର ହାଉସ୍, ଦୋକାନ ଘର ନିର୍ମାଣ, ନାଳ ଓ ସ୍ଲାବ୍ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର ଓ ବ୍ୟାୟାମ କେନ୍ଦ୍ର, କଲ୍ୟାଣ ମଣ୍ଡପ, ହରିଣ ପାର୍କ, ପାଠାଗାର ପୁନରୁଦ୍ଧାର, ସ୍ମାର୍ଟ ଫୁତପାଥ ଓ ପାର୍କିଂ, ସହରରେ ଫୁଟ୍ ଓଭର ବ୍ରିଜ୍ ପ୍ରଭୃତି ପାଇଁ ବଜେଟ୍ ବ୍ୟୟବରାଦ କରାଯାଇଛି । ବଜେଟ୍ ଅନୁମୋଦନ ପରେ ସାଧାରଣ କାଉନସିଲ ବୈଠକରେ କର୍ପୋରେଟରମାନେ ସେମାନଙ୍କ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ । ଆଉଟ୍ସୋର୍ସିଂ ସଂସ୍ଥା ଜଗନ୍ନାଥ ପ୍ରସାଦ ନର୍ସରୀ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ଠିକ ସମୟରେ ଦରମା ଦେଉ ନ ଥିବା ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଦେବାକୁ ସେମାନେ ମେୟରଙ୍କ ନିକଟରେ ଅଡି ବସିଥିଲେ । ତଥ୍ୟ ବିଳମ୍ବ ହେବାରୁ ହୋହଲ୍ଲା ହୋଇଥିଲା । ସେହିପରି ଚଳିତବର୍ଷ ୧୦ଟି ନୂଆ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ୱାର୍ଡରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବାର ଯୋଜନା ହୋଇଛି । ଆମ ପୋଖରୀ ଯୋଜନାରେ ୩ଟି ପୋଖରୀ ପୁନରୁଦ୍ଧାର କରାଯିବ । ଏହାପର ପର୍ଯ୍ୟାୟକ୍ରମେ ମୋ ପାଖରୀ ଯୋଜନାରେ ୫୦ଟି ପୋଖରୀ ସାମିଲ ହେବ ବୋଲି ଆଲୋଚନା ହୋଇଥିଲା । ହକି ବିଶ୍ୱକପ ସମୟରେ ଯେଉଁ ସ୍ପିଙ୍କଲର ମେସିନ ସହରରେ ବ୍ୟବହାର କରାଯାଉଥିଲା ସେଥିରୁ ଦୁଇଟି ଆଣିବାକୁ ମେୟର ପ୍ରସ୍ତାବ ଦେଇଥିଲେ । ଅନ୍ୟପଟେ ରିଙ୍ଗବନ୍ଧରେ ବାଲି, ଧୂଳିର ଆସ୍ତରଣକୁ ନେଇ କର୍ପୋରେଟରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।