ସିଏମସି ନିର୍ବାଚନ: ଦାଖଲ ହେଲା ୭ଟି ପ୍ରାର୍ଥୀପତ୍ର, ପ୍ରାର୍ଥୀପତ୍ର କ୍ରୟ ଦାଖଲର ତୃତୀୟ ଦିନରେ୧୧୧ଜଣ କର୍ପୋରେଟର ଓ ୨ଜଣ ମେୟର ପାଇଁ କିଣିଲେ ନାମାଙ୍କନପତ୍ର
କଟକ(ଏନ୍.ଏମ୍.): କଟକରେ ପୌର ନିର୍ବାଚନ ପାଇଁ ଅବଗଣନା ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ନାମାଙ୍କନପତ୍ର କ୍ରୟ ଓ ଦାଖଲ ଗତ ୨ତାରିଖରୁ ଜାରି ରହିଛି । ତେବେ ଦୁଇ ଦିନ ମଧ୍ୟରେ ଶତାଧିକ ପ୍ରାର୍ଥୀ ନାମାଙ୍କନପତ୍ର କ୍ରୟ କରିଥିଲେ ମଧ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ । ମାତ୍ର ଆଜି ପୁଣି ଶତାଧିକ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପତ୍ର କ୍ରୟ କରିଥିବାବେଳେ ୫ଜଣ ପ୍ରାର୍ଥୀ ୭ଟି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ କଟକ ମହାନଗର ନିଗମ ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ଦାଖଲର ଶୁଭ ପଡ଼ିଛି । ଆଜି ସିଏମସି ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ (୪୭ ନମ୍ବର ୱାର୍ଡ଼ ଓ ୫୧ନମ୍ବର ୱାର୍ଡ଼) ପାଇଁ ବିଜେପିର ୨ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ଜାତୀୟ କଂଗ୍ରେସରୁ ୨୯ନମ୍ବର ୱାର୍ଡ଼ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ସେହିଭଳି ବିଜେଡିର ୪୪ନମ୍ବର ୱାର୍ଡ଼ରୁ ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୪୧, ୪୪ ଓ ୪୭ ନମ୍ବର ୱାର୍ଡରେ ଜଣେ ଲେଖାଏ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ ୨୯ ନମ୍ବର ୱାର୍ଡ଼ରେ କଂଗ୍ରେସ ପ୍ରାର୍ôଥନୀ ସସ୍ମିତା ଜେନା, ୪୧ନମ୍ବର ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ôଥନୀ ଫରିଦା ନଫିସ, ୪୪ନମ୍ବର ୱାର୍ଡ଼ରେ ବିଜେଡି ଓ ସ୍ୱାଧୀନ ଭାବେ ପ୍ରଦୀପ୍ତ କିଶୋର ଖୁଣ୍ଟିଆ ୨ସେଟ ନାମାଙ୍କନ ଦାଖଲ କରିଥିବାବେଳେ ୪୭ ନମ୍ବର ୱାର୍ଡ଼ରୁ ସଞ୍ଜୟ ଜେନା ବିଜେପି ଓ ସ୍ୱାଧୀନଭାବେ ୨ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ୫୧ ନମ୍ବର ୱାର୍ଡ଼ରେ ରାକେଶ ସ୍ୱାଇଁ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି । ତେବେ ବିଜେପି ଓ ବିଜେଡି ଦଳରୁ ନାମାଙ୍କନ ଦାଖଲ କରିଥିବା କୌଣସି ପ୍ରାର୍ଥୀଙ୍କ ନିକଟରେ ଦଳୀୟ ଟିକେଟ ନଥିବାବେଳେ ପରବର୍ତ୍ତୀ ସମୟରେ ଦେବେ ବୋଲି ସ୍ୱୀକାରୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ମଧ୍ୟ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ସିଏମସି ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ୧୧୧ଜଣ କର୍ପୋରେଟର ପ୍ରାର୍ଥୀ ଓ ୨ଜଣ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର କ୍ରୟ କରଛନ୍ତି । ସେହିଭଳି ଗତକାଲି ଅର୍ଥାତ ଦ୍ୱିତୀୟ ଦିନରେ ୧୭୮ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପତ୍ର କ୍ରୟ କରିଥିବାବେଳେ ୫ଜଣ ମେୟର ପ୍ରାର୍ଥୀ ଏବଂ ପ୍ରଥମ ଦିନରେ କଟକ ମହାନଗର ନିଗମର ୨୮୨ଜଣ କର୍ପୋରେଟର ପ୍ରାର୍ଥୀ ଓ ୨ଜଣ ମେୟର ପ୍ରାର୍ଥୀ ନାମାଙ୍କନପତ୍ର କ୍ରୟ କରିଥିଲେ । ଦୁଇ ଦିନରେ ୪୬୦ଜଣ କର୍ପୋରେଟର ପ୍ରାର୍ଥୀ ଓ ୭ ଜଣ ମେୟର ପ୍ରାର୍ଥୀ ନାମାଙ୍କନପତ୍ର କ୍ରୟ କରିଥିବାବେଳେ ଆଜି ତୃତୀୟ ଦିନ ସୁଦ୍ଧା ମୋଟ ୫୭୧ଜଣ କର୍ପୋରେଟର ନିମନ୍ତେ ଓ ୯ଜଣ ମେୟର ପ୍ରାର୍ଥୀ ନିମନ୍ତେ ନାମାଙ୍କନପତ୍ର କ୍ରୟ କରିଛନ୍ତି । ବିଜେଡି ପକ୍ଷରୁ ଆଶାୟୀମାନଙ୍କୁ ଟିକେଟ ଦେବାରେ କାଳକ୍ଷେପର ନୀତି ଅବଲମ୍ବନ କରିବା ଏବଂ ଏ ନେଇ ଆଶାୟୀମାନଙ୍କୁ ସ୍ପଷ୍ଟ ସୂଚନା ନଦେବା ଯୋଗୁଁ ବହୁ ଆଗଧାଡ଼ିର କର୍ମୀ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଦଳରୁ ଇସ୍ତଫା ଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହିଭଳି କଟକରେ ବିଜେପି ମଧ୍ୟ ବିପର୍ଯ୍ୟୟ ଆଡକୁ ଯାଉଥିବା ଦେଖିବାକୁ ମିଳିଛି । ଦଳର ମଙ୍ଗଧରିଥିବା ବରିଷ୍ଠ ନେତାମାନଙ୍କ ଅପାରଗତା ଯୋଗୁଁ କଟକରେ ବିଜେପି ସତ୍ତା ହରାଇବାକୁ ଯାଉଥିବା ବହୁ ଦଳୀୟ କର୍ମକର୍ତ୍ତା ଅଭିଯୋଗ ଆଣିଛନ୍ତି । ଏପରିକି ବହୁ ନେତା ଓ କର୍ମୀ ବିଜେପି ଦଳରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି ଖୁଲମଖୁଲା କହିଛନ୍ତି । ସମ୍ପ୍ରତି ଦଳୀୟ ବିଶୃଙ୍ଖଳା ଯୋଗୁଁ କିଛି କର୍ମୀ ଟିକେଟ ନପାଇ ମଧ୍ୟ ନାମାଙ୍କନଦାଖଲ କରିଛନ୍ତି । ଯଦି ସେମାନଙ୍କୁ ଟିକେଟ ନମିଳେ ତଥାପି ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ସେହିଭଳି ବିଜେପି କାହାକୁ ମେୟର ପ୍ରାର୍ଥୀ କରିବ ସେ ନେଇ ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ବିଳମ୍ବିତ ରାତିସୁଦ୍ଧା ସ୍ପଷ୍ଟ ସୂଚନା ଦିଆଯାଉ ନଥିବା ଯୋଗୁଁ ଦଳୀୟ କର୍ମୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।