ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ

ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ

ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ

ଫଟୋ- କାହ୍ନୁଚରଣ ପଣ୍ଡା

କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ନିର୍ବାଚନରେ ଶେଷ ହୋଇ ଯାଇଛି । ହେଲେ ଶେଷ ହୋଇନି ଅଙ୍କକଷା । ଏଥର ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହୋଇଥିବାବେଳେ ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ହେବ । ତେବେ କଟକ ମହାନଗର ନିଗମରେ କ୍ରମାଗତ ଭାବେ ବିଜୁ ଜନତା ଦଳ କାଉନସିଲ ଗଠନ କରିଆସୁଥିବାବେଳେ ଏଥର ମଧ୍ୟ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେଡି ପୁଣିଥରେ କାଉନସିଲ ଗଠନ କରିଛି । ତେବେ ତଫସିଲଭୁକ୍ତ ଅନୁସୂଚିତ ଜନଜାତିଙ୍କୁ ଥରୁଟିଏବି କଟକ ସହରାଞ୍ଚଳ ପାଇଁ ମେୟର କିମ୍ବା ଡେପୁଟି-ମେୟର ପଦବୀ ମିଳିପାରି ନାହିଁ । ବୋଧହୁଏ ସେଭଳି କୌଣସି ଯୋଗ୍ୟ ପ୍ରାର୍ଥିଙ୍କୁ ଦଳ ପାଇନଥିଲା । ତେବେ ଗତ ସିଏମସି ନିର୍ବାଚନରେ ୪୯ନମ୍ବର ୱାର୍ଡଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା । ଏହି ୱାର୍ଡରୁ ବିଜେଡିର ଦମୟନ୍ତୀ ମାଝି ବିଜେପି ପ୍ରାର୍ଥିଙ୍କୁ ୧୨୫୪ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ସିଏମସିର ସର୍ବକନିଷ୍ଠା କର୍ପୋରେଟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ଜଗତପୁର ନୂତନ ଶିଳ୍ପାଞ୍ଚଳର ବାଲିସାହି ବସ୍ତିରେ ରହୁଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ପିଜି ଶେଷ ବର୍ଷର ଛାତ୍ରୀ ଅଟନ୍ତି । ଏଥର କିନ୍ତୁ କଟକରୁ ମେୟର ଭାବେ ସୁବାସ ସିଂହ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିବାରୁ ନିୟମ ମୁତାବକ ଡେପୁଟି-ମେୟର ପଦବୀ ଚୌଦ୍ୱାର-କଟକରୁ ଜଣେ ମହିଳା କର୍ପୋରେଟରଙ୍କୁ ମିଳିବ ବୋଲି ଆଲୋଚନା ହେଉଛି । ଆସନ୍ତା ଏପ୍ରିଲ ୭ ତାରିଖରେ ବିଜୟୀ ମେୟର ଓ କର୍ପୋରେଟରମାନେ ସହିଦ ଭବନରେ ଶପଥ ଗ୍ରହଣ କରିବା ସହ ଡେପୁଟି ମେୟର ପାଇଁ ମତଦାନ କରିବେ । ଡେପୁଟି-ମେୟର ପଦବୀ ପାଇଁ ଦମୟନ୍ତୀ ଦୌଡରେ ରହିଥିବାବେଳେ ଏଥି ପାଇଁ ଏକାଧିକ ମହିଳା କର୍ପୋରେଟରଙ୍କ ନାମକୁ ଚର୍ଚ୍ଚା ହେଉଛି । ଯଦିଓ ଦମୟନ୍ତୀ ରାଜନୀତି କ୍ଷେତ୍ରରେ କଟକର ନୂଆ ଚେହେରା, ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ତଫସିଲଭୁକ୍ତ ଅନୁସୂଚିତ ଜନଜାତି ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଆସୁଥିବା ନଜିର ରହିଛି । ଜଣେ ଉଚ୍ଚ ଶିକ୍ଷିତା ବସ୍ତି ଯୁବତୀଙ୍କ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଛି ବଡ କଥା ନୁହେଁ ବୋଲି ଚର୍ଚ୍ଚା ହେଉଛି । ତେଣୁ ବସ୍ତିରେ ବଢିଥିବା ଦମୟନ୍ତୀ ଯଦି କଟକ ସହରର ଡେପୁଟି-ମେୟର ଭାବେ ନିର୍ବାଚିତ ହୁଅନ୍ତି, ତେବେ ରାଜ୍ୟର କୋଣ ଅନୁକୋଣରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ଜନଜାତି ଏବଂ ବସ୍ତିବାସିନ୍ଦାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଏ୍ୟୌତିହାସିକ ହୋଇ ରହିବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି