ସିଏମସିର ମୁକୁଳା ଡ୍ରେନରେ ସ୍ଲାବ ନପଡ଼ିବା ଯୋଗୁ କୁହୁଳୁଛି ଅସନ୍ତୋଷ

ସିଏମସିର ମୁକୁଳା ଡ୍ରେନରେ ସ୍ଲାବ ନପଡ଼ିବା ଯୋଗୁ କୁହୁଳୁଛି ଅସନ୍ତୋଷ

ସିଏମସିର ମୁକୁଳା ଡ୍ରେନରେ ସ୍ଲାବ ନପଡ଼ିବା ଯୋଗୁ କୁହୁଳୁଛି ଅସନ୍ତୋଷ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ନାଳନର୍ଦ୍ଦମାର ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ଏଥିରେ ସୁଧାର ଆଣିବାରେ ପ୍ରଶାସନିକ ଆନ୍ତରିକତା ଦେଖିବାକୁ ମିଳୁନାହିଁ । ଫଳରେ ସହରସାରା ଏବେ ମୁକୁଳା ଡ୍ରେନ ଧନଜୀବନ କ୍ଷତିର ପ୍ରମୁଖ କାରଣ ହୋଇଛି । ବର୍ଷ ବର୍ଷ ଧରି ସହରବାସୀ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ଦାବି କରିଆସୁଥିବାବେଳେ ସିଏମସି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଫଳରେ ଗତ ରବିବାର ଦିନ ଯୋଶେଫ ସାହାଣୀ ନାମକ ଜଣେ ୯ବର୍ଷିୟ ବାଳକର ମୃତ୍ୟୁ ହୋଇଥିଲା । ତଥାପି ସିଏମସିର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ମୃତକଙ୍କ ପରିବାରକୁ କିଛି କ୍ଷତିପୂରଣ ଦେଇ ସିଏମସି କର୍ତ୍ତୃପକ୍ଷ ଚୁପ ବସିବା ନେଇ ସହରରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଆଗକୁ ଏଭଳି ଅଘଟଣ କିଭଳି ସମ୍ପୂର୍ଣ୍ଣ ରୋକାଯାଇ ପାରିବ ସେ ନେଇ କୌଣସି ପଦକ୍ଷେପ ନିଆନଯିବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସହରସାରା ଏବେ ଡ୍ରେନ ମୁକୁଳା ପଡ଼ିଥିଲେ ସୁଦ୍ଧା ସେଥିରେ ସ୍ଲାବ ପକାଇବା ଆରମ୍ଭ ହେଉନି । ଫଳରେ ଆଗାମୀ ଦିନରେ ଅଧିକ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ତେବେ ଏହାକୁ ନେଇ ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ମଧ୍ୟ ଅସନ୍ତୋଷ କୁହୁଳିବାରେ ଲାଗିଛି । ସ୍ଥାନୀୟ ଜଗତପୁର ଆଇ.ବି ରୋଡ ମଙ୍ଗଳା ଗଡା ଠାରୁ ଭୂବନପୁର କେନାଲ ବନ୍ଧ ପର୍ଯ୍ୟନ୍ତ ମୁକୁଳା ଡ୍ରେନରେ ତୁରନ୍ତ ସ୍ଲାବ ପକାଇବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି । କଟକ ସହରର ବିଭିନ୍ନ ୱାର୍ଡ଼ ସମେତ ଜଗତପୁର ଅଞ୍ଚଳରେ ମୁକୁଳା ଡ୍ରେନ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ତେବେ ଆଉ କେତେ ଜଣଙ୍କ ଜୀବନ ଗଲେ ସିଏମସିର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ସହରରେ ବସବାସ କରୁଥିବା ସମସ୍ତ ଜନସାଧାରଣ ବିଭିନ୍ନ ବାଟରେ ସିଏମସିକୁ ଟିକସ ଆକାରରେ ରାଜସ୍ୱ ଦେଉଥିଲେ ମଧ୍ୟ ସିଏମସିରୁ ମୌଳିକ ସୁବିଧା ମିଳୁନାହିଁ । ତେଣୁ ତୁରନ୍ତ ସିଏମସିର ପ୍ରତ୍ୟେକ ୱାର୍ଡ଼ରେ ରହିଥିବା ଏଭଳି ସମସ୍ୟାର ସମାଧାନ କରିବା ପାଇଁ ସିଏମସି କମିଶନର ଗୁରୁତ୍ୱ ଦେବା ନିମନ୍ତେ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ