ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା
ଜଗତପୁର (ଏନ୍.ଏମ୍.): କଟକ ସହରରେ ଆବର୍ଜନା ପରିଚାଳନା ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ଏବେ ଦିଗହରା ହେବାରେ ଲାଗିଛି । ଯାହାଫଳରେ ସହର ଆବର୍ଜନା ପୁଣି ରାସ୍ତାଘାଟରେ ଦେଖିବାକୁ ମିଳିଛି । କଟକ ମହାନଗର ନିଗମ ଅଧିନରେ ରହିଥିବା ସମସ୍ତ ୱାର୍ଡରେ ସ୍ୱଚ୍ଛତା ଆଣିବା ଲାଗି ଘରକୁ ଘର ଆବର୍ଜନା ସଂଗ୍ରହ ଠାରୁ ଆରମ୍ଭ କରି ଆବର୍ଜନା ଗୁଡ଼ିକୁ ପରିଚାଳନା ନିମନ୍ତେ ଏମସିସି (ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର) ଆଦି ନିର୍ମାଣ କରାଯାଇଛି । ହେଲେ ଏହି ଆବର୍ଜନା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ ଅପାରଗତା ଯୋଗୁଁ ଏହି ଯୋଜନାର ସଫଳ ରୂପାୟନ ହୋଇ ପାରୁନଥିବା ସାଧାରଣରେ ଚର୍ଚ୍ଚା ହୋଉଛି । ଏପରିକି ପ୍ରତି ୱାର୍ଡରେ ଲୋକଙ୍କ ଘରୁ ଦୈନଦିନ ସ୍ୱତନ୍ତ୍ର ଗାଡି ଯୋଗେ ଅଳିଆ ଆବର୍ଜ୍ଜନା ଗୁଡିକୁ ସଂଗ୍ରହ କରାଯାଉଥିଲେ ମଧ୍ୟ ଏହାର ସୁବିନିଯୋଗ କରାଯାଉ ନଥିବା ଦେଖିବାକୁ ମିଳିଛି ।
କଟକ ମହାନଗର ନିଗମର ୪୮ନମ୍ବର ୱାର୍ଡରେ ଘରକୁ ଘର ଆବର୍ଜନା ସଂଗ୍ରହ କରାଯାଉଥିଲେ ମଧ୍ୟ ତାହା କମ୍ପୋଷ୍ଟିଂ ସେଣ୍ଟରକୁ ଯିବା ପରିବର୍ତ୍ତେ ରାସ୍ତାକଡ଼, ଖୋଲାସ୍ଥାନରେ ବିକ୍ଷିପ୍ତ ଭାବେ ପଡ଼ୁଥିବା ଦେଖିବାକୁ ମିଳିଛି । ଏପରିକି ୱାର୍ଡବାସୀଙ୍କ ଘର ମାନଙ୍କରୁ ସଂଗୃହୀତ ହେଉଥିବା ଏହି ଅଳିଆ ଆବର୍ଜ୍ଜନା ଗୁଡିକୁ କେନ୍ଦ୍ରାପଡା ରୋଡ ରେଳ ଷ୍ଟେସନ ରାସ୍ତା କଡରେ କୁଢକୁଢ ପରିମାଣରେ ଫିଙ୍ଗାଯାଉଛି । ଏଗୁଡିକୁ ପ୍ରଥମେ ୪ ଦିନ ଫିଙ୍ଗା ଯିବାପରେ ତାହାକୁ କମ୍ପୋଷ୍ଟିଂ ସେଣ୍ଟରକୁ ନିଆଯିବା ଭଳି ସିଏମସିର ଅଜବ ନୀତି ୱାର୍ଡବାସୀଙ୍କୁ ଚକିତ କରିଛି । ତେବେ ଷ୍ଟେସନ ରାସ୍ତା କଡରେ କୁଢକୁଢ ଅଳିଆ ଆବର୍ଜ୍ଜନା ଗୁଡିକ ପଚିସଢି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ବିଶେଷ କରି ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଯାତାୟତ କରୁଥିବା ଶହଶହ ସଂଖ୍ୟକ ରେଳଯାତ୍ରୀ ଏଭଳି ପୂତ୍ତିଗନ୍ଧମୟ ପରିବେଶ ଯୋଗୁଁ ଅତିଷ୍ଠ ହୋଇ ପଡ଼ୁଛନ୍ତି । ଫଳରେ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ତେଣୁ ଏ ସଂକ୍ରାନ୍ତରେ ସିଏମସି ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରିବା ସହ ଜନଗହଳିପୂର୍ଣ୍ଣ ରାସ୍ତା କଡରୁ ଏସବୁ ଅଳିଆ ଆବର୍ଜନା ହଟାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।