ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ
ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ଡ୍ରେନେଜ ସମସ୍ୟା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ଅଞ୍ଚଳରେ ନାଳନଦ୍ଦର୍ମା ଅବସ୍ଥା ବେହାଲ ହୋଇପଡ଼ିଥିବାବେଳେ ଏହାକୁ ମରାମତି କିମ୍ବା ପୁନରୁଦ୍ଧାର କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ସମ୍ପ୍ରତି ସରକାର କଟକ ସହରକୁ ରାଜ୍ୟର ଏକନମ୍ବର କରିବା ପାଇଁ ବହୁ ପ୍ରକଳ୍ପ ମାନ ହାତକୁ ନେଇଛନ୍ତି । ଏଥି ପାଇଁ ସିଏମସି ପକ୍ଷରୁ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ନୀତି ଯୋଗୁଁ ଅଧିକାଂଶ ସ୍ଥାନରେ ସାଧାରଣ ଲୋକଙ୍କ ନିମନ୍ତେ ନାନାଦି ଅସୁବିଧା ସୃଷ୍ଟି ହେଉଛି । ବିଶେଷ କରି ଡ୍ରେନେଜ ବ୍ୟବସ୍ଥାକୁ ପରିଚାଳନା କରିବା କ୍ଷେତ୍ରରେ ସିଏମସି ଏକରକମ ଫେଲ ମାରିଥିବା ଚର୍ଚ୍ଚା ହେଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ସିଏମସି ୪୮ନମ୍ବର ୱାର୍ଡ ନଜରପୁର ଗ୍ରାମର ପୁରୁଣା ପୋଷ୍ଟ ଅଫିସ ରାସ୍ତାରେ ଦେଖିବାକୁ ମିଳିଛି । ଏହି ଡ୍ରେନକୁ ସଠିକ ସମୟରେ ସଫେଇ କରାଯାଉନଥିବାରୁ ତାହା ଏବେ ପୋତି ହେବାକୁ ଲାଗିଲାଣି । ଏଥିପାଇଁ ଉକ୍ତ ଡ୍ରେନରେ ନର୍ଦ୍ଦମା ପାଣି ନିଷ୍କାସନ ବ୍ୟବସ୍ଥା ସମ୍ପୃର୍ଣ୍ଣ ଭାବେ ଠପ ହୋଇପଡିଛି । ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳର ଶହଶହ ଯାତ୍ରୀ କେନ୍ଦ୍ରାପଡା ରେଳ ଷ୍ଟେସନକୁ ଯାତୟାତ ପାଇଁ ନିର୍ଭର କରିଥାନ୍ତି । ଏହି ଡ୍ରେନ ପାଖ ଦେଇ ଯାଉଥିବା ଯାତ୍ରୀମାନେ ଦୃର୍ଗନ୍ଧ କାରଣରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହା ଫଳରେ ଏହି ଡ୍ରେନ ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ କଦର୍ଯ୍ୟ ପରିସ୍ଥିତି ହୋଇପଡିଛି । ଏପରିକି ଡ୍ରେନକୁ ସଫେଇ କରାଯିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ଯେଉଁଭଳି ଢଙ୍ଗରେ କାର୍ଯ୍ୟ କରାଯିବା କଥା, ସେଥିରେ କାହିଁକି ବ୍ୟତିକ୍ରମ ଦେଖାଯାଉଛି ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଏକାଧିକବାର ଅଭିଯୋଗ କରାଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ପ୍ରତିକାର କରାଯାଉନାହିଁ ।