ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ
କଟକ(ଏନ୍.ଏମ୍.): ପ୍ରତିବର୍ଷ ବର୍ଷା ଋତୁରେ କଟକ ଜଳବନ୍ଦୀ ହୋଇପଡ଼ୁଥିବାବେଳେ ଚଳିତ ବର୍ଷ ଏହି ସମସ୍ୟାକୁ ଏଡାଇବା ପାଇଁ ସାଂସଦ ସୁବାସ ସିଂହ ଗୁରୁତ୍ୱ ଦେଇଛନ୍ତି । ବର୍ଷା ପୂର୍ବରୁ ସହରର ସମସ୍ତ ନାଳନର୍ଦ୍ଦମା ସଫେଇ କରିବା ପାଇଁ ସାଂସଦ ସିଏମସି କମିଶନରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ଫଳରେ ଅସରାଏ ବର୍ଷାରେ କଟକ ସହର ବେହାଲ ହୋଇ ପଡ଼ୁଛି । ସହରରେ ସିଏମସି ନାଳନର୍ଦ୍ଦମା ସଫେଇ କରୁନଥିବା ଯୋଗୁ ଆଜି ସାଂସଦ ଶ୍ରୀ ସିଂହ ବାଧ୍ୟ ହୋଇ କଟକ ସହରର ବିଭିନ୍ନ ଅଞ୍ଚଳ ବୁଲି ନାଳନର୍ଦ୍ଦମା ସଫେଇ ତଦାରଖ କରିବା ସହ ସମୀକ୍ଷା କରିଥିଲେ । ସହରର ବିଭିନ୍ନ ସ୍ଥାନରେ ଥିବା ନାଳନର୍ଦ୍ଦମାରୁ ଆଦୌ ପଙ୍କୋଦ୍ଧାର ହୋଇ ନଥିବା ସାଂସଦ ଶ୍ରୀ ସିଂହ ଜାଣିବା ପରେ କ୍ଷୋଭ ପ୍ରକାଶ କରିବା ସହ ସିଏମସି ଅଧିକାରୀଙ୍କ ଉପରେ ବିରକ୍ତ ହୋଇଛନ୍ତି । ଯାହା ସିଏମସିରେ ଆଦୌ କାମ ହେଉନଥିବା ସ୍ପଷ୍ଟ ହୋଇଛି ବୋଲି ସହରବାସୀ ଚର୍ଚ୍ଚା କରିଛନ୍ତି ।
କଟକ ସହରରେ ପ୍ରତିବର୍ଷ ବର୍ଷାଦିନେ ଜଳ ନିଷ୍କାସନ ହୋଇ ନପାରିବାରୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇ ପଡ଼ିବା ସହ ଲୋକଙ୍କ ଘରେ ମଧ୍ୟ ନର୍ଦ୍ଦମା ପାରି ପଶିଯାଏ । ତେଣୁ ଚଳିତ ବର୍ଷ ଏହି ସମସ୍ୟାର ଯେଭଳି ପୁନରାବୃତ୍ତି ନହେବ ସେ ନେଇ ସାଂସଦ ଶ୍ରୀ ସିଂହ ଗତ ମେ ମାସ ୧୯ତାରିଖରେ ସିଏମସି କମିଶନର ଅନନ୍ୟା ଦାସଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ସେ କଟକର ସମସ୍ୟା ସମ୍ପର୍କରେ କମିଶନରଙ୍କୁ ଅବଗତ କରାଇବା ସହ ବର୍ଷା ଯୋଗୁଁ ଉପୁଜୁଥିବା ଜଳନିଷ୍କାସନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ପଙ୍କୋଦ୍ଧାର କାର୍ଯ୍ୟ ଓ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସାଂସଦଙ୍କ ସହ ଆଲୋଚନାରେ ହୋଇଥିବା ନିଷ୍ପତ୍ତିକୁ ସିଏମସି କର୍ତ୍ତୃପକ୍ଷ କାର୍ଯ୍ୟକାରୀ ନକରିବା ଯୋଗୁଁ ଗତ ଦୁଇ ଦିନ ମଧ୍ୟରେ ହୋଇଥିବା ଲଘୁଚାପ ବର୍ଷାରେ ସହରର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଏଥିରେ ସାଂସଦ ଶ୍ରୀ ସିଂହ ଅସନ୍ତୋଷ ପ୍ରକାଶ କରିବା ସହ ସିଏମସି ଅନ୍ତର୍ଗତ ୧୪, ୧୮ ଓ ୧୯ ନମ୍ବର ଆଦି ୩ ଟି ୱାର୍ଡ ପରିଦର୍ଶନ ପଙ୍କୋଦ୍ଧାରର ସତ୍ୟାସତ୍ୟ ଜାଣିବା ପାଇଁ ନିଜ ହାତରେ ନଳା ପଙ୍କକୁ ମାପି ଅନୁସନ୍ଧାନ କରିଥିଲେ । ତେବେ ନାଳରେ ୩ ଫୂଟ ରୁ ୪ ଫୂଟ ପର୍ଯ୍ୟନ୍ତ ପଙ୍କ ଜମା ହୋଇ ରହିଥିବା ଜଣାପଡ଼ିଥିଲା । ତେଣୁ ଉକ୍ତ ନାଳ ଗୁଡ଼ିକ ଆଦୌ ସଫେଇ ହୋଇ ନଥିବା ସାଂସଦ ଜାଣିବାକୁ ପାଇଥିଲେ । ଏହା ଦେଖି ସାଂସଦ ବିରକ୍ତି ପ୍ରକାଶ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦଙ୍କ ଏହି ସମୀକ୍ଷା ଓ ଅନୁସନ୍ଧାନ କାର୍ଯ୍ୟରେ ସିଏମସି କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ସମେତ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, ୱାର୍ଡ ନମ୍ବର ୧୪ର ବିଜୁ ଜନତା ଦଳର ସଭାପତି ବିରଜା ପ୍ରସାଦ ଦାସ, ୧୮ନମ୍ବର ୱାର୍ଡର ସଭାପତି ସୌମ୍ୟଦୀପ ଘୋଷ, ୧୯ ନମ୍ବର ୱାର୍ଡ ସଭାପତି ପ୍ରଦୀପ ସିଂହ, ୨୦ନମ୍ବର ୱାର୍ଡ ସଭାପତି ଜଗନ୍ନାଥ ସ୍ୱାଇଁ, କଟକ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ସୋମିତ୍ ମିତ୍ର, ଶରତ ଚନ୍ଦ୍ର ବେହେରା, ଭାଗିରଥି ବେହେରା, ମହମ୍ମଦ ଫିରୋଜୁର ରହେମନ, ତପନ ମୁଖି, ଶିବ ନାୟକ, ସାଜଡ ହୁସେନ, ସେକ ରାଜୁ, ସିମ୍ରନ୍ ଜରିନ, ମାଜିଡ ଖାନ ପ୍ରଭୃତି ଉପସ୍ଥିତ ଥିଲେ ।