ସାହିତ୍ୟ ମାସିକୀ: ‘ସମାଜରେ ନିଆରା ଦେଖିଲେ କଥାକାର ତାହାକୁ ରୂପ ଦିଏ’
ଭୁବନେଶ୍ୱର(ଏନ୍.ଏମ୍.): ସମାଜରେ କିଛି ନିଆରା ଲକ୍ଷ୍ୟକଲେ କଥାକାର ତାକୁ ଗଳ୍ପରେ ରୂପାୟିତ କରେ । ତାହା ମଣିଷ ଓ ଜୀବନର ଅନୁକୂଳ ଏବଂ ପ୍ରତିକୂଳ ଦିଗକୁ ଦର୍ଶାଇଥିଲେ ମଧ୍ୟ ସେଥିରୁ ମାର୍ଗଦର୍ଶନ ମିଳେ ବୋଲି ବିଶିଷ୍ଟ କଥାକାର ସହଦେବ ସାହୁ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ସାହିତ୍ୟ ମାସିକୀ’ରେ ଯୋଗଦେଇ କଥାକାର ଶ୍ରୀ ସାହୁ କଥାବାର୍ତ୍ତା ପ୍ରସଙ୍ଗରେ ନିଜର ଗଳ୍ପକାରିତା, ସାମ୍ପ୍ରତିକ ଓଡ଼ିଆ ଗପର ଧରା ଓ ଧାରା ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ବିଜନବାଳା ପାଟ୍ଟଯୋଷୀ ତାଙ୍କ ସହ ପ୍ରଶ୍ନୋତ୍ତର କ୍ରମରେ ଆଲୋଚନା କରିଥିଲେ । ‘ଏ ମାସର କଥାକାର’ ଭାବରେ ଯୋଗଦେଇ ସ୍ନେହ ଦାସ ଲେଙ୍କା ସ୍ୱରଚିତ ଗଳ୍ପ ପାଠ କରିଥିଲେ । ମିନତି ମିଶ୍ର ଓ ସୁବ୍ରତ ସେନାପତିଙ୍କ ମିଳିତ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ବହୁ କବି କବିତାପାଠ କରିଥିଲେ । ସଭାରେ ସ୍ୱର୍ଗତ ସାହିତ୍ୟିକ ଗଗନେନ୍ଦ୍ରନାଥ ଦାସଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ମିନତି ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଡ.ଅଭୟ ନାରାୟଣ ନାୟକ, ସୁଧୀର ମଉଡମଣି ଓ ଶାକ୍ୟସିଂହ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।