ବରିଷ୍ଠ ସାମ୍ବାଦିକ ବନବିହାରୀ ମହାନ୍ତିଙ୍କ ପ୍ରଥମ ସ୍ମୃତିସଭା
ସାମ୍ବାଦିକ ହିଁ ଭାଷା ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତା ବିତରଣ କରିଥାଏ:ମନ୍ତ୍ରୀ
ସାମ୍ବାଦିକ ରାଜେଶ ଜେନା ଓ ସମାଜସେବୀ ହିମାଂଶୁ ମହାନ୍ତି ପାଇଲେ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ
#କଟକ(ଏନ୍.ଏମ୍.): ଗୋଟିଏ ଜାତିର ପରିଚୟ ତା’ର ଭାଷା ସାହିତ୍ୟ ଓ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଥାଏ । ସେହିଭଳି ସାହିତ୍ୟ ଓ ସାମ୍ବାଦିକତା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍, ତେଣୁ ସାମ୍ବାଦିକ ହିଁ ଭାଷା, ସାହିତ୍ୟ, ସଂସ୍କୃତିର ବାର୍ତ୍ତା ବିତରଣ କରିଥାଏ । ସେହିଭଳି ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବନବିହାରୀ ମହାନ୍ତିଙ୍କ ଉଦ୍ୟମ ଅନସ୍ୱୀକାର୍ଯ୍ୟ ବୋଲି ବନବିହାରୀ ମହାନ୍ତି ଫାଉଣ୍ଡେସନ ପକ୍ଷର ଆୟାଜିତ ପ୍ରଥମ ବାର୍ଷିକ ସ୍ମୃତିସଭା ଓ ସମ୍ମାନ ପ୍ରଦାନ ସମାରୋହ ଉତ୍ସବରେ ମୁଖ୍ୟଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ମତପ୍ରକାଶ କରିଥିଲେ । ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠାନର ଟ୍ରଷ୍ଟି ତଥା ବରିଷ୍ଠ ସାମ୍ବାଦିକ ଆଲୋକ କୁମାର ନାୟକଙ୍କ ପୌରହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ସିଟି ସଂଯୋଜକ ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ସାମ୍ବାଦିକ ହିଁ ସରକାର ଓ ଜନସାଧାରଣଙ୍କ ସମ୍ପର୍କର ସେତୁ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ବାରବାଟି-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଅନ୍ୟତମ ଅତିଥି ଭାବେ ସିଏମସିର ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁ ଯୋଗଦେଇ ସାମ୍ବାଦିକ ବନବିହାରୀ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହ ସମାଜରେ ସଂସ୍କାର ଆଣିବା ପାଇଁ ଅନବରତ ଲେଖନୀ ଚାଳନା କରୁଥିବା କହିଥିଲେ । ଏହି ଅବସରରେ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକ ଭାବେ ରାଜେଶ ଜେନାଙ୍କୁ ବନବିହାରୀ ମହାନ୍ତି ଫାଉଣ୍ଡେସନ ପକ୍ଷରୁ ବନବିହାରୀ ସ୍ମୃତି ସମ୍ମାନ -୨୦୨୨ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ସ୍ୱରୁପ ନଗଦ ୫ ହଜାର ଟଙ୍କା ସହିତ ମାନପାତ୍ର, ଉପଢୌକନ ଏବଂ ସ୍ମୃତି ଫଳକ ପ୍ରଦାନ କରାଯାଇଛି । ଏଥିସହିତ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ହିମାଂଶୁ ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୌମ୍ୟକାନ୍ତ ସାମନ୍ତରାୟ, ଲହରିକା ପଟ୍ଟନାୟକ, ଅମ୍ଳାନ ବଦନ ପଟ୍ଟନାୟକ, ବିଚିତ୍ରାନନ୍ଦ ସେଠୀ, ପ୍ରଶାନ୍ତ ମହାନ୍ତି, ତପନ କୁମାର ସାହୁ, ଅଶୋକ କୁମାର କାନୁନଗୋ, ବିକ୍ରମ ସ୍ୱାଇଁ, ସୁବାସ ମହାପାତ୍ର, ଅମୂଲ୍ୟ ମହାପାତ୍ର,ସଞ୍ଜବ ସ୍ୱାଇଁ, ଉମାକାନ୍ତ ଜେନା, ବିଶ୍ୱରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।